ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ 5T ଅଧ୍ୟକ୍ଷଙ୍କ ଗୁରୁମନ୍ତ୍ର

1 min read

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତଛାତ୍ରୀଙ୍କୁ ଦେଲେ ସଫଳତାର ଗୁରୁମନ୍ତ୍ର । ଜୟ ଜଗନ୍ନାଥ, ଜୟ ମା’ ମାଣିକେଶ୍ବରୀ କହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ 5T ଅଧ୍ୟକ୍ଷ । ନୂଆବର୍ଷର ଅଭିନନ୍ଦନ ଦେବା ସହ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ 5T ଅଧ୍ୟକ୍ଷ ।

ଏହି ଅବସରରେ ସେ କହିଥିଲେ, ‘ସମସ୍ତ ଛାତ୍ରଛାତ୍ରୀ ଏବେ ସେମାନଙ୍କ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚରେ ଅଛନ୍ତି । ଛାତ୍ରଛାତ୍ରୀଙ୍କ ଏହା ଏକ ଗୋଲଡେନ ପିରିୟଡ । ଏହି ସମୟରେ ଆପଣମାନଙ୍କ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପାଠ ପଢିବା । ପାଠ ପଢିବା ସହ କରିକୁଲାର ଆକ୍ଟିବିଟିଜ୍ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢିବ । ଜୀବନରେ ସଫଳ ହେବା ଲାଗି ଆତ୍ମବିଶ୍ବାସ ବହୁ ଜରୁରୀ । ଏଥିଲାଗି ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହାଦ୍ବାରା ଆପଣଙ୍କ ମଧ୍ୟରେ ଥିବା ପ୍ରତିଭା ବାହାରକୁ ଆସିବ । ସାମଗ୍ରିକ ବ୍ୟକ୍ତିତ୍ବର ଉନ୍ନତି ହେବ । ପାଠ ପଢିବା ସହ ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ ହେଲେ ଜୀବନରେ ସଫଳତା ହାସଲ କରି ହେବ ।’

ଆଗକୁ ସେ କହିଥିଲେ, ‘କୌଣସି ପ୍ରତିଯୋଗିତାରେ ଜିତିଲେ ଖୁସି ଲାଗିବ । ଏଥିରେ ଭାଗ ନେଲେ ଜୀବନ ସଂଘର୍ଷ କ’ଣ ଜାଣିବେ । ଆପଣଙ୍କ ମଧ୍ୟରେ ଥିବା ନେତୃତ୍ବ ଓ ଟିମ ୱାର୍କ ଭଳି ପ୍ରତିଭାର ବିକାଶ ହେବ । ଏଥିଲାଗି ଆପଣମାନଙ୍କୁ ସୁସ୍ଥ ରହିବା ସହ ନିଜ ମନକୁ ସୁସ୍ଥ ରଖିବା ଜରୁରୀ । ପ୍ରତିଦିନ ୩୦ ମିନିଟ ଶାରିରୀକ ପରିଶ୍ରମ ସହ ୧୫ ମିନିନ ଧ୍ୟାନ ନିଶ୍ଚିତ କରନ୍ତୁ । ଉଜ୍ଜଳ ଭବିଷ୍ୟତ ଲାଗି ଦିନକୁ ୧୪ ଘଣ୍ଟା ପରିଶ୍ରମ କରନ୍ତୁ ।’

ସୋସିଆଲ ମିଡିଆରେ ସମୟ ଅପଚୟ ନକରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ । ସୋସିଆଲ ମିଡିଆରୁ ବହୁତ କିଛି ଶିଖି ପାରିବେ । ଏଥିରୁ ଭଲ ତଥ୍ୟ ଗ୍ରହଣ କରିବାକୁ ଚେଷ୍ଟା କରିବାକୁ ଛାତ୍ରଛାତ୍ରୀଙ୍କ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ । ସେହିପରି ବାପାମାଆ ଓ ଗୁରୁଜନଙ୍କ କଥା ମାନି ସେମାନଙ୍କୁ ସମ୍ମାନ ଦେବାକୁ କହିଛନ୍ତି । କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ । ଆତ୍ମବିଶ୍ବାସ ରଖି କଠିନ ପରିଶ୍ରମ କଲେ ଭବିଷ୍ୟତ ଉଜ୍ଜଳ ହେବ ଓ ସ୍ବପ୍ନ ସାକାର କରିବେ ବୋଲି 5T ଅଧ୍ୟକ୍ଷ କହିଛନ୍ତି ।

ଏହି ଅବସରରେ କଳାହାଣ୍ଡି ଜିଲ୍ଲାର କିଛି ସଫଳ ବ୍ୟକ୍ତିତ୍ବଙ୍କ ଉଦାହରଣ ଦେଇଥିଲେ 5T ଅଧ୍ୟକ୍ଷ । କେସିଙ୍ଗାର ସରକାରୀ ବିଦ୍ୟାପୀଠରୁ ପାଠ ପଢି ଅନୁପମ ଶାହା ଜିଲ୍ଲାପାଳ ହୋଇ ପାରିଛନ୍ତି । ବରିଷ୍ଠ ପୋଲିସ ଅଧିକାରୀ ସତ୍ୟବ୍ରତ ଭୋଇ ଏମ ରାମପୁର ସରକାରୀ ବିଦ୍ୟାଳୟରେ ପଢି ଆଇପିଏସ ହୋଇ ପାରିଛନ୍ତି । ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରୁ ପାଠ ପଢି ଆଇପିଏସ ପାଇଥିବା ପିନାକ ମିଶ୍ରଙ୍କ ମଧ୍ୟ ଉଦାହରଣ ଦେଇ କଠିନ ପରିଶ୍ରମ ଏକମାତ୍ର ସଫଳତାର ସୂତ୍ର ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଛାତ୍ରଛାତ୍ରୀ ନିଜ ପ୍ରତି ବିଶ୍ବସ୍ତ ହୁଅନ୍ତୁ, ବହୁତ ଉପରକୁ ଯିବେ । କିଏ ବି ଆପଣଙ୍କ ସଫଳତାକୁ ବନ୍ଦ କରିପାରିବେନି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।