କଟକ ଗସ୍ତରେ ଯାଇ ବିଭିନ୍ନ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

1 min read

କଟକ: କଟକ ଗସ୍ତରେ ଯାଇ ବିଭିନ୍ନ ରୂପାନ୍ତର କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏସସିବି ମେଡିକାଲ କଲେଜ, ଚଣ୍ଡୀ ମନ୍ଦିର, ତାଳଦଣ୍ଡା କେନାଲ ଓ ରେଭେନ୍ସା ବାଳିକା ବିଦ୍ୟାଳୟ ଆଦି ପରିଦର୍ଶନ କରିଛନ୍ତି। କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରି ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ରୂପାନ୍ତର କାମ ସଂପର୍କରେ ପୂଜକ, ଜିଲ୍ଲାପ୍ରଶାସନ ସହିତ ଆଲୋଚନା କରିଛନ୍ତି।

ମା’ଙ୍କ ମନ୍ଦିରର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି। ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଜଳ ନିଷ୍କାସନ, ପାର୍କିଂ ଓ ଅନ୍ୟାନ୍ୟ କାର୍ଯ୍ୟକୁ ଅନୁଧ୍ୟାନ କରି ଏହାକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ଅଧ୍ୟକ୍ଷ। ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମା’ଙ୍କ ଦର୍ଶନ କରିପାରିବେ ଏବଂ ଏକ ଦିବ୍ୟ ଅନୁଭବ ଲାଭ କରିବେ, ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ପରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ଏହାର ରୂପାନ୍ତର କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ୪ଟି କ୍ଲିନିକାଲ ବ୍ଲକ୍ ଓ ୧୩ଟି ଆବାସିକ ବ୍ଲକର ନିର୍ମାଣ କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ ଭାବେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରେଭେନ୍ସା ବାଳିକା ବିଦ୍ୟାଳୟ ବୁଲି ଦେଖିଥିଲେ। ସେଠାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। 5T ଉପକ୍ରମରେ ସ୍କୁଲର ବିକାଶ କରାଯିବ ବୋଲି କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।