୭ ମାସ ଭିତରେ କଳାହାଣ୍ଡି ପାଇଛି ୫୭୦ କୋଟି ଟଙ୍କା: 5T ଅଧ୍ୟକ୍ଷ

1 min read

ଭବାନୀପାଟଣା: ରୂପାନ୍ତରଣର ସବୁଠୁ ବଡ଼ ଉଦାହରଣ ପାଲଟିଛି କଳାହାଣ୍ଡି । ମେଡିକାଲ କଲେଜ, ୟୁନିଭର୍ସିଟି, ଇଂଜିନିୟରିଂ କଲେଜରୁ ଜଳସେଚନ ପର୍ଯ୍ୟନ୍ତ ସବୁ ସୁବିଧା ଯୋଗାଇ ଦିଆଯାଇଛି । ଚାଷୀଙ୍କ ପାଇଁ କଳାହାଣ୍ଡିରେ ଜଳସେଚନ ପାଇଁ ଯେଉଁ କାମ ହୋଇଛି ସାରା ରାଜ୍ୟରେ ଆଉ କେଉଁଠି ହୋଇନି । ଚାଷୀ ଭାଇଙ୍କ ଜୀବନରେ ବହୁତ ବଡ଼ ଆକାରରେ ରୂପାନ୍ତରଣ ହୋଇଥିବା ଭବାନୀପାଟଣା ଶ୍ରୀକ୍ରିଷ୍ଣ ପଡ଼ିଆରେ କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ସ୍ଥାନୀୟ ଲୋକଙ୍କୁ ଉଦବୋଧନ ଦେଇ କହିଥିଲେ, ‘କଳାହାଣ୍ଡି ଜିଲ୍ଲାକୁ ବହୁତ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଁ ୨୦୦୨ରେ କଳାହାଣ୍ଡିରେ ଦୁଇ ବର୍ଷ କାମ କରିଛନ୍ତି । କଳାହାଣ୍ଡି କେମିତି ଥିଲା ଗାଁ ଗାଁକୁ ଯାଇ ବୁଲି ଦେଖିଥିଲି । ଆଉ ଏବେ କଳାହାଣ୍ଡି କେମିତି ହୋଇଛି ସେକଥା ସମସ୍ତେ ଜାଣିଛନ୍ତି ।’ ଏହି ଅବସରରେ କଳାହାଣ୍ଡିବାସୀଙ୍କୁ ପୁରୁଣା ପରିବାର କହି ସମ୍ବୋଧନ କରିଥିଲେ କାର୍ତ୍ତିକ ପାଣ୍ଡିଆନ ।

ବିକାଶର ହିସାବ ଦେଇ 5T ଅଧ୍ୟକ୍ଷ କହିଥିଲେ, ‘ ଗତ ମେ’ ୧୯ ଓ ୨୦ ତାରିଖରେ କଳାହାଣ୍ଡି ଆସିଥିଲି । ସେତେବେଳେ ପାଖାପାଖି ୨ ହଜାର ଦରଖାସ୍ତ ନେଇଥିଲେ । ଏଥିରୁ ୧୮ ଶହ ଦରଖାସ୍ତର ସମାଧାନ ହୋଇଛି । ୭ ମାସ ଭିତରେ କଳାହାଣ୍ଡି ଜିଲ୍ଲା ପାଇଁ ୫୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । କଲେଜ ରୂପାନ୍ତରଣ ପାଇଁ ୨୭ କୋଟି ଟଙ୍କା ମଞ୍ଜୁର ହୋଇଛି । ଫେବୃଆରୀ ଶେଷ ସୁଦ୍ଧା କାମ ସରିଯିବ । ବେଲଖଣ୍ଡି ଓ ମା’ ଲଙ୍କେଶ୍ବରୀ ମନ୍ଦିର ପାଇଁ ୨ କୋଟି ୫୦ ଲକ୍ଷ ଲେଖାଏଁ ଟଙ୍କା, ମା’ ଭଣ୍ଡରଘରଣୀ ମନ୍ଦିର ପାଇଁ କୋଟିଏ ୯ ଲକ୍ଷ, ଆମ୍ବପାଣି ବୁଢାରଜା ମନ୍ଦିର ପାଇଁ ୭୫ ଲକ୍ଷ ଟଙ୍କା, ଥୁଆମୂଳ ରାମପୁର ଜଗନ୍ନାଥ ମନ୍ଦିର ପାଇଁ ୨୦ ଲକ୍ଷ, ଭବାନୀପାଟଣା ଆଶା ସାଗର ପାଇଁ ୬ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।’

ପିପଲ ନାଳ ସେତୁ ଓ ସୌନ୍ଦର୍ଯ୍ୟକରଣ ପାଇଁ କୋଟିଏ ୭୦ ଲକ୍ଷ, ସାନ୍ଦୁଲ ନଦୀ ଉପରେ ସେତୁ ପାଇଁ ୧୪ କୋଟି ୫୦ ଲକ୍ଷ, ହାତୀ ନଦୀ ଉପରେ ସେତୁ ପାଇଁ ୧୧ କୋଟି ୨୦ ଲକ୍ଷ, କଲ୍ୟାଣ ନଦୀ ଉପରେ ଡଙ୍ଗର ମୁରଲୀରୁ ଖଲିପଦର ରାସ୍ତାରେ ସେତୁ ପାଇଁ ୮ କୋଟି ୮୨ ଲକ୍ଷ ଟଙ୍କା ଓ ରେତ ନଦୀ ଉପରେ ସଗରପଦା ଖମାରପଦର ରାସ୍ତାରେ ସେତୁ ପାଇଁ ୮ କୋଟି ୪୦ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା 5T ଅଧ୍ୟକ୍ଷ କହିଛନ୍ତି ।

ଆଗକୁ ସେ କହିଛନ୍ତି, ‘ଥୁଆମୂଳ ରାମପୁରରେ ସରକାରୀ ଡିଗ୍ରୀ କଲେଜକୁ ମଞ୍ଜୁରୀ ମିଳିଛି । ୧୦ ଦିନ ଭିତରେ ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଖୁସି ଖବର ମିଳିବ । ଜିଲ୍ଲାରେ ଲକ୍ଷ୍ମୀ ବସ ଚାଲିଛି । ବିଏସକେଓ୍ବାଇ କାର୍ଡ ପାଇ ନଥିବା ଗ୍ରାମାଞ୍ଚଳ ଲୋକ ଆବେଦନ କରନ୍ତୁ । ଏହି ଯୋଜନାରେ ବଡ଼ ହସ୍ପିଟାଲରେ ଚିକିତ୍ସିତ ହେବାକୁ ଗରିବଙ୍କୁ ମୁଖ୍ୟମନ୍ତ୍ରୀ ସାହାସ ଦେଇଛନ୍ତି ।’

ଏହି ଅବସରରେ କଳାହାଣ୍ଡିରେ ପ୍ରତି ଘରେ ନବୀନ କାର୍ଡ ପହଞ୍ଚାଇବାକୁ ସେ ଆହ୍ବାନ ଦେଇଥିଲେ । ମାର୍ଚ୍ଚ ସୁଦ୍ଧା ଆମ ବ୍ୟାଙ୍କ ଯୋଜନାରେ ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବ । ଭତ୍ତା ପାଉଥିବା ଲୋକଙ୍କୁ ଶୀଘ୍ର ଖୁସି ଖବର ମିଳିବ ବୋଲି ସେ କହିଛନ୍ତି । ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ । କଳାହାଣ୍ଡିକୁ ସବୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, କଳାହାଣ୍ଡିବାସୀ ତାଙ୍କୁ ସମ୍ମାନ ଦେବାକୁ 5T ଅଧ୍ୟକ୍ଷ ଆହ୍ବାନ ଦେଇଛନ୍ତି । ଏହି ସରକାର ଲୋକଙ୍କ ସରକାର । ଲୋକ ଯାହା ଚାହିଁବେ ସେଇ କାମ ହେବ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।