ଗଞ୍ଜାମରେ 5T ଅଧ୍ୟକ୍ଷ: ହିଞ୍ଜିଳିକାଟୁ ଓ ଶେରଗଡ଼ରେ ବିକାଶର ସମୀକ୍ଷା

1 min read

ଗଞ୍ଜାମ: ଦୁଇଦିନିଆ ଗଞ୍ଜାମ ଗସ୍ତରେ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ  । ପ୍ରଥମ ଦିନରେ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକରେ ବିକାଶର ସମୀକ୍ଷା କରିଛନ୍ତି । ରୂପାନ୍ତରିତ କଲେଜ ବୁଲିବା ସହ ନୂଆ ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉପଯୋଗୀ ପରାମର୍ଶ ଦେଇଛନ୍ତି । ଶେରଗଡ଼ରେ ମିଶନଶକ୍ତି ମାଆ ଓ ଚାଷୀଙ୍କୁ ଭେଟି ଆଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଅପରାହ୍ନରେ କାର୍ତ୍ତିକ ପାଣ୍ଡିଆନ ପ୍ରଥମେ ହିଞ୍ଜିଳିକାଟୁ ଗସ୍ତରେ ଯାଇ ପୋଚିଲିମା ଖମ୍ବେୟା ଦୋରା ଜୁନିୟର ବିଜ୍ଞାନ ମହାବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଥିପାଇଁ ୧୮୧.୨୩ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି । ଏହି ରୂପାନ୍ତର ଠିକ୍‌ ସମୟରେ ଶେଷ ହୋଇ ଥିବାରୁ ସେ ଅଧିକାରୀଙ୍କୁ ଧନ୍ୟବାଦ ଦେଇଥିଲେ । ସେଠାରୁ ସାରୁ ଛକ ଓ ମକରଝୋଳ ଛକ ଦେଇ ଗସ୍ତ କରିବା ବେଳେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉତ୍ସାହର ତାଙ୍କୁ ସ୍ବାଗତ କରିଥିଲେ ।

ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ହିଞ୍ଜିଳିକାଟୁ, ଶେରଗଡ ବ୍ଲକ୍ ଏବଂ ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ ସ୍ଥିତ ମହାବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସେଠାରୁ ବିଜୁ ପଟ୍ଟନାୟକ ଛକ ନିକଟରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଖଣ୍ଡରା ଛକ, ବୁରୁପଡା ପଞ୍ଚାୟତ କାର୍ଯ୍ୟାଳୟ ଛକ, ମାରୁଡି ଛକ, ଗୋବିନ୍ଦପୁର, ପଥରାଭାଜି ଛକ, ସୁନାଥର ଛକ, ଶୋଳଷଳା ଛକ, ତାକରଡା, ଶେରଗଡ ଚାରିଛକଠାରେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା, ଲୋକପ୍ରତିନିଧି ଓ ସମର୍ଥକ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ଶେରଗଡସ୍ଥିତ ଗ୍ରାମ୍ୟ ଶିଳ୍ପ ପାର୍କଠାରେ ମିଶନ ଶକ୍ତି ମାଆଙ୍କ ସହିତ ସେମାନଙ୍କ ଜୀବନ ଜୀବିକା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଗ୍ରାମ୍ୟ ଶିଳ୍ପ ପାର୍କର ରଣନୀତି ଓ ବିଭିନ୍ନ ସମସ୍ୟାର ସମାଧାନ କରି ଗ୍ରାମାଞ୍ଚଳରେ ବଜାର ଦ୍ବାରା ପରିଚାଳିତ ଜୀବିକା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ ।

ଉଦ୍ୟୋଗୀଙ୍କୁ ଶିଳ୍ପ କ୍ଷେତ୍ରରେ ପ୍ରେରଣା, ଚାକିରି ସୁଯୋଗ ସୃଷ୍ଟି କରିବା ଏବଂ ରାଜ୍ୟର ଅର୍ଥନୈତିକ ଉନ୍ନତିର ବିକାଶ ଧାରା କିଭଳି ବୃଦ୍ଧି ହେବ ସେଥି ନିମନ୍ତେ ଉଦ୍ଦିଷ୍ଟ ଗ୍ରାମ୍ୟ ଶିଳ୍ପ ନିମନ୍ତେ ପ୍ରୋତ୍ସାହିତ କରିଥିଲେ । ପୋଷାକ ତିଆରି କରିବା ୟୁନିଟ୍, ବଫେ କପ୍ ପ୍ଲେଟ୍ ପ୍ରସ୍ତୁତ ୟୁନିଟ୍, ଫୁଲଚାଷ, ବିୟୁଟି ପାର୍ଲର, ମକା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ତୈଳ ଉତ୍ପାଦନ ୟୁନିଟ୍, ବେକରି ୟୁନିଟ୍, ଜୋତା ପ୍ରସ୍ତୁତ ୟୁନିଟର କାର୍ଯ୍ୟରତ ସଭ୍ୟା ଓ ଏହି କାର୍ଯ୍ୟରେ ଯୋଡି ହେବାକୁ ଯାଉଥିବା ସଭ୍ୟାଙ୍କ ସହିତ ଆଲୋଚନା କରିଥିଲେ ।

ଶେରଗଡ ବ୍ଲକ୍ କାର୍ଯ୍ୟାଳୟରେ ଶେରଗଡ ଓ ହିଞ୍ଜିଳିକାଟୁ ବ୍ଲକ୍ ଅଞ୍ଚଳର କୃଷକଙ୍କ ସହିତ ସେମାନଙ୍କ ଚାଷ ଜମିରେ ଜଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଥିଲେ । ଚାଷୀଙ୍କ ବୃହତ୍ତର ସ୍ୱାର୍ଥ ସାଧନ ତଥା ରୋଜଗାର ବୃଦ୍ଧି ଓ କର୍ମ ସଂସ୍ଥାନ ନିମନ୍ତେ ଅନ୍ୟ ରାଜ୍ୟକୁ ପଳାୟନ ରୋକିବା ନିମନ୍ତେ ମୁଖ୍ୟମନ୍ତ୍ରୀ ପ୍ରତି ଏକର ଜଳସେଚନ ସୁନିଶ୍ଚିତ କରାଇବା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଥିଲେ ।

ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଏକ ବର୍ଷ ମଧ୍ୟରେ ୧୮୬.୪୭ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯିବ । ଏହାଦ୍ବାରା ଜଳସେଚିତ ଜମିର ପରିମାଣ ୯୩୧୪ ହେକ୍ଟରରୁ ୧୪ ହଜାର ୧୭୩ ହେକ୍ଟରକୁ ବୃଦ୍ଧି ପାଇବ । ଏଥିପାଇଁ ୨୧ଟି ପଞ୍ଚାୟତରେ ୬୬ଟି ପ୍ରକଳ୍ପ ନିର୍ମାଣ ହେବ । ବୃହତ୍ ଓ ମଧ୍ୟମ ଜଳସେଚନ ମାଧ୍ୟମରେ ୨୬୫୨ ହେକ୍ଟର, ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ଦ୍ବାରା ଭୂତଳ ପାଇପ୍ ଲାଇନ୍ କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୩୩ଟି ପ୍ରକଳ୍ପ, ବୃହତ୍ ଉଠା ଜଳସେଚନ ମାଧ୍ୟମରେ ୧୦୦୦ ହେକ୍ଟର ଓ ଉଠା ଜଳସେଚନ ୩୧ଟି ପ୍ରକଳ୍ପ ମାଧ୍ୟମରେ ୬୫୨ ହେକ୍ଟର ଜମିକୁ ଜଳସେଚନର ସୁବିଧା ଦିଆଯିବ । ଏହାଦ୍ଵାରା ଶେରଗଡ ବ୍ଲକର ପ୍ରାୟ ୧୦ ହଜାର ଚାଷୀ ଉପକୃତ ହୋଇପାରିବେ ବୋଲି କହିଥିଲେ । ୨ୟ ପର୍ଯ୍ୟାୟରେ ଅବଶିଷ୍ଟ  ଜମିକୁ ବିଭିନ୍ନ ଉଠା ଜଳସେଚନ ଯୋଜନା ଦ୍ୱାରା ଜଳସେଚନ କରାଯାଇ ଶତ ପ୍ରତିଶତ ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ କରାଯିବ ।

ସେହିପରି ହିଞ୍ଜିଳି ପଞ୍ଚାୟତ ସମିତି ଅନ୍ତର୍ଗତ ୧୪ ହଜାର ୪୭୦ ହେକ୍ଟର ଚାଷୋପଯୋଗୀ ଜମି ମଧ୍ୟରୁ ୧୩ ହଜାର ୭୭୯ ହେକ୍ଟର ତଥା ୯୫.୨୨ ଶତକଡା ଅଂଶ ଜମି ବିଭିନ୍ନ ଉତ୍ସ ମାଧ୍ୟମରେ ଜଳ ସେଚିତ ହେଉଛି । ଅବଶିଷ୍ଟ ୬୯୧ ହେକ୍ଟର ଚାଷ ଜମି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୬୨୧ ହେକ୍ଟର ଜମିକୁ ବିଭିନ୍ନ ବିଭାଗ ଜରିଆରେ ତଥା ବୃହତ୍ ଓ ମଧ୍ୟମ ଜଳସେଚନ ଯୋଜନା ମାଧ୍ୟମରେ ୨୧୯ ହେକ୍ଟର, କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୧୧୦ ହେକ୍ଟର ଓ ଉଠା ଜଳସେଚନ ମାଧ୍ୟମରେ ୨୯୨ ହେକ୍ଟର ଏହିପରି ମୋଟ ଶତକଡା ୯୯.୫୦ ଭାଗ ଅଂଶରେ ଜଳସେଚନ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ । ଏଥିନିମନ୍ତେ ୨୦.୪୫ କୋଟି ବ୍ୟୟ କରାଯାଇ ମୋଟ ୧୩ଟି ପଞ୍ଚାୟତ ଅଞ୍ଚଳରେ ୩୭ଟି ପ୍ରକଳ୍ପ ଜରିଆରେ ଲକ୍ଷ୍ୟ ହାସଲ କରାଯିବ  । ଏହାଦ୍ଵାରା ହିଞ୍ଜିଳି ବ୍ଲକର ପ୍ରାୟ ୨୦୦୦ ଚାଷୀ ଉପକୃତ ହେବେ । କାର୍ଯ୍ୟ ଯେଭଳି ଉନ୍ନତ ମାନର ହେବ ଓ ନିର୍ଦ୍ଧାରିତ ସମୟରେ ଶେଷ ହୋଇ କାର୍ଯ୍ୟକ୍ଷମ କରାଯିବ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ବ୍ରହ୍ମପୁରରେ ପହଞ୍ଚି ମା’ ବୁଢୀ ଠାକୁରାଣୀ ମନ୍ଦିରରେ ପହଞ୍ଚି ଥିଲେ । ଓଡିଶା ସରକାରଙ୍କ ସ୍ଥାପତ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ମା’ ବୁଢୀ ଠାକୁରାଣୀ ମନ୍ଦିର ଉନ୍ନତିକରଣ କାର୍ଯ୍ୟ ସହ ମୁଖ୍ୟ ଫାଟକ, ପୂଜାରୀ କକ୍ଷ, ଦୋକାନ ଗୃହ, ବହୁବିଧ ଗୃହର ନିର୍ମାଣ ସହିତ ପାରିପାର୍ଶ୍ବିକ ଉନ୍ନତି କିଭଳି କରାଯିବ ତାହାର ସମୀକ୍ଷା କରି କାମ ଶୀଘ୍ର ତ୍ବରାନ୍ବିତ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

5T ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ସମୟରେ ଜିଲ୍ଲାର ବହୁ ଲୋକ ପ୍ରତିନିଧି, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଓ ସଂପୃକ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।