ସମ୍ବଲପୁରରେ ବିକାଶର ସମୀକ୍ଷା କଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ

1 min read

ସମ୍ବଲପୁର: ସମ୍ବଲପୁରରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ। ସମଲେଇ ପ୍ରକଳ୍ପ ବୁଲିବା ସହିତ କିଭଳି ସମଲେଇ ପ୍ରକଳ୍ପ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରିବ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ଏଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମନ୍ଦିର ଟ୍ରଷ୍ଟବୋର୍ଡ ସହ ଆଲୋଚନା କରିଛନ୍ତି। ସମଲେଇ ପ୍ରକଳ୍ପ ବୁଲିବା ପରେ ମା’ ସମଲେଶ୍ବରୀଙ୍କ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ। ମନ୍ଦିର ପରିସରରେ ଟ୍ରଷ୍ଟବୋର୍ଡ ଓ ମନ୍ଦିର ପୂଜକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହାପରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ତାଙ୍କ ନିକଟରୁ ଦାବି ପତ୍ର ଗ୍ରହଣ କରିଥିଲେ କାର୍ତ୍ତିକ ପାଣ୍ଡିଆନ୍।

ଏହାପରେ ସମ୍ୱଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ପହଞ୍ଚି ଆଥଲେଟିକ ଏସୋସିଏସନ କର୍ମକର୍ତ୍ତା ଓ ଖେଳାଳିଙ୍କ ସହ ଆଲୋଚନା କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ୱଲପୁର ଆଥଲେଟିକ ଆସୋସିଏସନ ପକ୍ଷରୁ 5T ଅଧ୍ୟକ୍ଷଙ୍କୁ ସ୍ବାଗତ କରାଯାଇଥିଲା। ଷ୍ଟାଡିୟମରେ କ୍ରିକେଟ ଖେଳାଳିଙ୍କ ସହ 5T ଅଧ୍ୟକ୍ଷ କ୍ରିକେଟ ଖେଳିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବଲପୁରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବା ସହ  ସମ୍ବଲପୁରରେ ବହୁତ ବଡ କ୍ରିକେଟ ଷ୍ଟାଡିୟମ ଓ ଫୁଟବଲ ଷ୍ଟାଡିୟମ କରିବା ପାଇଁ ଜାଗା ଚିହ୍ନଟ କରାଯାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଖେଳାଳି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆସୋସିଏସନ କର୍ମକର୍ତ୍ତା ଓ ଖେଳାଳି। ଫୁଟବଲ ଓ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ୩୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଷ୍ଟାଡିୟମ ନିର୍ମାଣ ପରେ କ୍ରୀଡ଼ାବିତଙ୍କୁ ଏହା ବଡ ବୁଷ୍ଟ ହେବ ବୋଲି କୁହାଯାଉଛି।

ଏହି ଅବସରରେ ଭୀମସାର ମେଡିକାଲ କଲେଜ ଯାଇ ସ୍ବାସ୍ଥ୍ୟସେବାର ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ। ହସ୍ପିଟାଲ ନିର୍ଦ୍ଦେଶକ ଓ ବରିଷ୍ଠ ଡାକ୍ତରଙ୍କ ସହ ସ୍ବାସ୍ଥ୍ୟସେବା ବାବଦରେ ଆଲୋଚନା କରିଥିଲେ। ଏଠାରେ ପ୍ରଥମ ପର୍ଯ୍ୟାୟରେ ୭୦୦ ବେଡ୍ ବିଶିଷ୍ଟ ମାତୃ ଓ ଶିଶୁ ଓ୍ବାର୍ଡର ସୁବିଧା ମିଳିବ। ମେଡିକାଲ ହଷ୍ଟେଲ କ୍ୟାମ୍ପସର ଉନ୍ନତିକରଣ ସହ ସ୍ପୋର୍ଟସ କକ୍ଲେକ୍ସ କରାଯିବ। ଏହାସହ କର୍ମଚାରୀଙ୍କ ପାଇଁ କ୍ବାର୍ଟର ସହ ଅନ୍ୟ ସୁବିଧା ଯୋଗାଇ ଦିଆଯିବ। ପ୍ରାଥମିକ ପର୍ଯ୍ୟାୟରେ ହଜାରେ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଯୋଜନା ହୋଇଛି। ଏଥିପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ ।

ଏହାପରେ ସମ୍ୱଲପୁରରେ ମହାନଦୀ ହାଫ୍ ମାରାଥନ ଅନୁଷ୍ଠିତ ହୋଇଥିଲା। ସେଠାରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ପହଞ୍ଚି ପତାକା ଦେଖାଇ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି, ବୁର୍ଲାରେ ମୁଖ୍ୟମନ୍ତ୍ରୀ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ କରିଛନ୍ତି। ଷ୍ଟାଡିୟମରେ ଭଲ ସୁବିଧା ରହିଛି। ମଣ୍ଡଳିଆ ପଡ଼ିଆରେ ସମ୍ବଲପୁର ଫୁଟବଲ ଏକାଡେମୀ କରାଯାଉଛି। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବହୁତ ବଡ କ୍ରୀଡା ଭିତ୍ତିଭୂମିର ବିକାଶ କରାଯାଉଛି। ସମ୍ବଲପୁରରେ ବଡ କ୍ରିକେଟ ଷ୍ଟାଡିୟମ କରିବା ପାଇଁ ଜାଗା ଚିହ୍ନଟ କରାଯାଉଛି। ଏହାସହ ଭଲ ଫୁଟବଲ ଷ୍ଟାଡିୟମ ତିଆରି କରିବା ପାଇଁ ଜାଗା ଚିହ୍ନଟ କରାଯାଉଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ।