ଅପପ୍ରଚାର କରୁଥିବା ଲୋକଙ୍କୁ ଓଡ଼ିଶାର ରୂପାନ୍ତରୀକରଣ କାମ ଦେଖାଯାଉନି: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

1 min read

କେନ୍ଦ୍ରାପଡା: ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇହେବ। କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ବା ଶୋଇବାର ଅଭିନୟ କରୁଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ। ଆଜି କେନ୍ଦ୍ରାପଡ଼ାର ବିକାଶ ସମୀକ୍ଷା ସମୟରେ ବିକାଶ ବିରୋଧୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ଏମିତି କିଛି ତେରଛା ବାଣ ମାରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବଳଦେବଜୀଉ ମନ୍ଦିର ନିକଟରେ ସାଧାରଣ ସଭାକୁ ଉଦବୋଧନ ଦେଇ ସେ ଏଭଳି କହିଛନ୍ତି ।

ରୂପାନ୍ତରଣର ଅର୍ଥ ବୁଝାଇବାକୁ ଯାଇ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଯେଉଁଭଳି ଆଗକୁ ବଢ଼ିଛି ତା’ର ସବୁ ଉଦାହରଣ ଦେଇଥିଲେ 5T ଅଧ୍ୟକ୍ଷ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଆନ୍ତର୍ଜାତୀକ ସମ୍ମାନ ମିଳିବା ରୂପାନ୍ତରଣର ଉଦାହରଣ ବୋଲି ସେ କହିଥିଲେ। ତେବେ ଏଭଳି ରୂପାନ୍ତିକରଣ କିଛି ଲୋକଙ୍କୁ ଦେଖାଯାଉନାହିଁ। ସେମାନେ ଆଖି ଥାଇ ଅନ୍ଧ। ସାଧାରଣ ଲୋକଙ୍କ ମଙ୍ଗଳ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଅହରହ ପ୍ରୟାସ କରୁଛନ୍ତି ସେଥିପାଇଁ ସହଯୋଗ କରିବା ଦରକାର ବୋଲି ମଧ୍ୟ କହିଛନ୍ତି।

କେନ୍ଦ୍ରାପଡ଼ା ବିଜୁ ବାବୁଙ୍କ କର୍ମଭୂମି ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାକୁ ବହୁତ ଭଲ ପାଆନ୍ତି । ସେଥିପାଇଁ କେନ୍ଦ୍ରାପଡ଼ର କେମିତି ଉନ୍ନତି ହେବ ସେନେଇ ବରାବର ଚେଷ୍ଟିତ । କେନ୍ଦ୍ରାପଡ଼ାରେ ବିଶ୍ବର ସବୁଠୁ ବଡ଼ ପୁଞ୍ଜିନିବେଶ ହେବାକୁ ଯାଉଛି । ଆର୍ସଲର ମିତ୍ତଲ ଓ ନିପ୍ପନ ଭଳି ସଂସ୍ଥା ସେମାନଙ୍କ କାରଖାନା ପ୍ରତିଷ୍ଠା କରିବା ପରେ ଜିଲ୍ଲାର ରୂପରେଖ ବଦଳିଯିବ। ଯୁବପିଢ଼ି ନିଯୁକ୍ତି ପାଇବେ। ଜିଲ୍ଲାରୁ ଆସୁଥିବା ସବୁ ଦାବିକୁ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଛି। ଜିଲ୍ଲାର ସବୁ ସ୍କୁଲ ଓ କଲେଜ ଆଗାମୀ ଦୁଇମାସ ସୁଦ୍ଧା ରୂପାନ୍ତରଣ ସରିବ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର କିଭଳି ଦକ୍ଷତା ହାସଲ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନୀତି ସଂପର୍କରେ ପାଣ୍ଡିଆନ ଲୋକଙ୍କୁ ସୂଚନା ଦେଇଥିଲେ।

ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏହି ମୂଳମନ୍ତ୍ରକୁ ନେଇ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା କରୁଥିବା ନେଇ ସୂଚନା ଦେଇଥିଲେ। ୨୦୦୭ ମସିହାରୁ ଖାଦ୍ୟ ସୁରକ୍ଷା ଓ ଦାରିଦ୍ର୍ୟ ଦୂରୀକରଣ ଦିଗରେ ରାଜ୍ୟ ସରକାର କିଭଳି ଅହରହ ଉଦ୍ୟମ କରୁଛନ୍ତି ସେ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ। କୃଷି ଉତ୍ପାଦନ ଓ ଚାଷୀଙ୍କୁ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ପ୍ରତ୍ୟେକ ସମୟରେ ନୂଆନୂଆ ଯୋଜନା ହାତକୁ ନେଉଥିବା ନେଇ ପ୍ରକାଶ କରିଛନ୍ତି। ଏବେ ଓଡ଼ିଶା ଖାଦ୍ୟ ବଳକା ରାଜ୍ୟ ବୋଲି କହିବା ସହ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି।

କ୍ରୀଡ଼ାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ସମଗ୍ର ବିଶ୍ବ ତା’ର ସାକ୍ଷୀ ବୋଲି ପାଣ୍ଡିଆନ ମତବ୍ୟକ୍ତ କରିଛନ୍ତି। ଗୋଟେ ସମୟରେ ଦେବାଳିଆ ସ୍ଥିତିରେ ଥିବା ରାଜ୍ୟ ସରକାର ଏବେ କିଭଳି ରାଜସ୍ବ ବଳକା ରାଜ୍ୟ ଭାବେ ନିଜକୁ ସମଗ୍ର ଦେଶରେ ପରିଚିତ କରାଇ ପ୍ରଶଂସା ସାଉଣ୍ଟିଛନ୍ତି ତାହା ସମସ୍ତେ ଜାଣନ୍ତି । ବିଦେଶରୁ ପୁଞ୍ଜି ଆଣିବା, ସିଧାସଳଖ ପାଇପ ଯୋଗେ ପାନୀୟ ଜଳ ଯୋଗାଣ, BSKY ଭଳି ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପଦକ୍ଷେପ, ସ୍କୁଲ ଓ କଲେଜ ରୂପାନ୍ତରଣ, ଐତିହ୍ୟ ସ୍ଥଳୀ ଓ ମନ୍ଦିରର ରୂପାନ୍ତରଣ ହେଉଛି ନୂଆ ଓଡ଼ିଶା ଗଠନ ଦିଗରେ ଗୋଟିଏ ଗୋଟିଏ ପଦକ୍ଷେପ ବୋଲି ପାଣ୍ଡିଆନ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି କେନ୍ଦ୍ରାପଡ଼ା ଗସ୍ତ ବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଚାଷୀ, ମିଶନ ଶକ୍ତି ଗ୍ରୁପ୍ ସଦସ୍ୟା ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ। ବିଭିନ୍ନ ସ୍ଥାନରେ ସାଧାରଣ ସଭାକୁ ସମ୍ବୋଧିତ କରି ରାଜ୍ୟ ବିକାଶର ବିଭିନ୍ନ ପ୍ରସଙ୍ଗ ଉତଥାପନ କରିଛନ୍ତି।

ଏହି ଗସ୍ତ ସମୟରେ ସାତଭାୟା ପାଇଁ ୨୨ କୋଟି ୫୦ ଲକ୍ଷ, ବାୟାବାବା ମଠ ପାଇଁ ୪ କୋଟି ୯୫ ଲକ୍ଷ, କେରଡ଼ାଗଡ଼ ଜଗନ୍ନାଥ ମନ୍ଦିର ପାଇଁ ୩ କୋଟି ୩ ଲକ୍ଷ, ପଞ୍ଚୁବରାହୀ ମନ୍ଦିର ପାଇଁ ୪ କୋଟି ୯୫ ଲକ୍ଷ, ପଟ୍ଟାମୁଣ୍ଡାଇ ହାଇିରମ ସେକେଣ୍ଡାରୀ ସ୍କୁଲ ଓ କଲେଜ ପାଇଁ ୨ କୋଟି ୨୫ ଲକ୍ଷ, ରାଜନଗରରେ ଥିବା
ଶ୍ରୀଜଗନ୍ନାଥ ହାଇଅର ସେକେଣ୍ଡାରୀ ସ୍କୁଲ ପାଇଁ ୨ କୋଟି ୨୫ ଲକ୍ଷ ଟଙ୍କା ମଂଜପର ହୋଇଥିବା ସୂଚନା ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ। କେରଡ଼ାଗଡ଼ଠାରେ ସାଧାରଣ ସଭାରେ ଉଦବୋଧନ ଦେବା ବେଳେ କେନ୍ଦ୍ରାପଡ଼ା ତାଙ୍କ ଶ୍ବଶୁର ଘର ବୋଲି କହିବା ସହ କେନ୍ଦ୍ରାପଡ଼ା ପାଇଁ କରାଯାଇଥିବା ବିକାଶ କାମର ଠିକଠିକ୍ ହିସାବ ନଦେଲେ ଘରେ ଅସୁବିଧାରେ ପଡ଼ିବେ ବୋଲି ମଜା କରି ୫ T ଅଧ୍ୟକ୍ଷ କହିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ଫେବ୍ରୁଆରୀ ମାସ ସୁଦ୍ଧା ଲକ୍ଷ୍ମୀ ବସ୍ ଗଡ଼ିବ ବୋଲି ସେ ସୂଚନା ଦେଇଛନ୍ତି।