କୋରାପୁଟ ବିକାଶର ହିସାବ ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

1 min read

ଜୟପୁର: କୋରାପୁଟ ଗସ୍ତରେ ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଲାଣ୍ଡିଗୁଡ଼ା ପରେ ଜୟପୁର ଦଶହରା ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଜିଲ୍ଲାରେ ଥିବା ମନ୍ଦିର, ମସଜିଦ, ଚର୍ଚ୍ଚ ଆଦିର ରୂପାନ୍ତରଣ ପାଇଁ ଦରଖାସ୍ତ ଦେଇଛନ୍ତି କୋରାପୁଟବାସୀ । ଆସନ୍ତା ୭ ଦିନ ମଧ୍ୟରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଖୁସି ଖବର ମିଳିବ । ମୁଖ୍ୟମନ୍ତ୍ରୀ ଯେଉଁ ଟଙ୍କା ମଞ୍ଜୁର କରିବେ, ତାହା ଲୋକଙ୍କ ଟଙ୍କା । ପ୍ରତ୍ୟେକ ଟଙ୍କାକୁ ନିଜର ଭାବି ସ୍ବଚ୍ଛତା ସହକାରେ କାମ କରିବେ । ପ୍ରଥମ ପର୍ଯ୍ୟାୟରେ ଭଲ କାମ କଲେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ସେ କହିଛନ୍ତି ।

5T ଅଧ୍ୟକ୍ଷ କହିଥିଲେ ଯେ ପୂର୍ବରୁ ଉଚ୍ଚଶିକ୍ଷା ପାଇଁ କୋରାପୁଟବାସୀଙ୍କୁ ବ୍ରହ୍ମପୁରକୁ ଯିବାକୁ ପଡୁଥିଲା । ଛାତ୍ରଛାତ୍ରୀ ବହୁତ ଖର୍ଚ୍ଚାନ୍ତ ହେଉଥିଲେ । କିନ୍ତୁ ଏବେ ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାକୁ ଲକ୍ଷ୍ମୀ ବସ ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମେତ ସବୁ ଯୋଜନାରେ ଯୋଡ଼ାଯାଇଛି । ମାତ୍ର ୫ ଟଙ୍କାରେ ମହିଳାମାନେ ବସ ଯୋଗେ ଯାଉଛନ୍ତି । ଆଗକୁ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସୁବିଧା ଖୋଲାଯିବ । ମିଶନଶକ୍ତି ମାଆମାନେ ଏହି ବ୍ୟାଙ୍କ ସେବା ଦ୍ବାରା ବହୁତ ଉପକୃତ ହେବେ । ଏଥିସହ କୋରାପୁଟରେ ଜଗନ୍ନାଥ ମନ୍ଦିର, କାଳୀ ମନ୍ଦିର, ମସଜିଦ, ଚର୍ଚ୍ଚ ପାଇଁ ଅର୍ଥ ମଞ୍ଜୁର ହୋଇଛି । ଏନେଇ କାମ ଚାଲୁ ରହିଛି । ଜଗନ୍ନାଥ ସାଗର ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଭଲ କାମ କଲେ ଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ଅର୍ଥ ମଞ୍ଜୁର ହେବ ବୋଲି ସେ କହିଥିଲେ । ଯେଉଁ ଜିଲ୍ଲା ସଦର ମହକୁମାରେ ହସ୍ପିଟାଲ ଥିଲା ସେସବୁ ସିଟି ହସ୍ପିଟାଲରେ ପରିଣତ ହୋଇଛି । କିନ୍ତୁ କୋରାପୁଟ ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ଜୟପୁରକୁ ସ୍ଥାନାନ୍ତର କରାଯାଇଛି । ୨ ବର୍ଷ ତଳେ ସେ କୋରାପୁଟ ଗସ୍ତରେ ଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଉନ୍ନତି କରିବା ନିମନ୍ତେ ଜିଲ୍ଲାବାସୀ ଅନୁରୋଧ କରିଥିଲେ । ଇତିମଧ୍ୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ 5T ହସ୍ପିଟାଲରେ ସାମିଲ କରାଯାଇଛି । ଏବେ ମୁଖ୍ୟ ଡାକ୍ତରଖାନାରେ ୧୦୦ କୋଟି ଟଙ୍କାରେ କାମ ଚାଲିଛି । ଶେଷରେ ଜିଲ୍ଲାବାସୀଙ୍କୁ ଖ୍ରୀଷ୍ଟମାସର ଶୁଭେଛା ଜଣାଇଥିଲେ 5T ଅଧ୍ୟକ୍ଷ ।