ପୁରୀ ଗସ୍ତରେ 5T ଅଧ୍ୟକ୍ଷ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ, ପରିକ୍ରମା ପ୍ରକଳ୍ପର କଲେ ସମୀକ୍ଷା

1 min read

ପୁରୀ: ପୁରୀରେ କେତେ ବାଟ ଆଗେଇଛି ବିକାଶ କାର୍ଯ୍ୟ । ଗ୍ରାଉଣ୍ଡକୁ ଯାଇ ସମୀକ୍ଷା କରିଛନ୍ତି 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ଭୋରୁ ପୁରୀ ଗସ୍ତ କରି ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ଅଧ୍ୟକ୍ଷ ।

ସେହିପରି ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠର ପୁନରୁଦ୍ଧାର କାମ ତ୍ବରାନ୍ୱିତ କରିବା ପାଇଁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ପୁନରୁଦ୍ଧାର ସମୟରେ ମଠର ଇତିହାସ ଓ ପରମ୍ପରାକୁ ଗୁରୁତ୍ଵ ଦେଇ ସମସ୍ତ ଭାଗୀଦାର ମାନଙ୍କ ସହଯୋଗରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ଭି.କେ ପାଣ୍ଡିଆନ୍ । ପରିକ୍ରମା ପ୍ରକଳ୍ପ ଲ୍ୟାଣ୍ଡସ୍କାପିଂ କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ମେଘନାଦ ପାଚେରୀ ନିକଟରେ ମନ୍ଦିରର କ୍ଷୁଦ୍ର ପ୍ରତିକୃତି ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଯାତ୍ରୀମାନେ ଯେପରି ବିନା ବାଧାରେ ମନ୍ଦିରରେ ପହଞ୍ଚି ପାରିବେ, ସେଥିପାଇଁ ମନ୍ଦିରକୁ ସଂଯୁକ୍ତ କରୁଥିବା ରାସ୍ତାକୁ ଅବରୋଧ ମୁକ୍ତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସ୍ଥାନୀୟ ଲୋକ ତଥା ସେବାୟତଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡିର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ଅଧ୍ୟକ୍ଷ । ମେଘନାଦ ପାଚେରୀ ପାଖରୁ ଅସ୍ଥାୟୀ ନିର୍ମାଣକୁ ସ୍ଥାନାନ୍ତର, ପରିକ୍ରମା ପ୍ରକଳ୍ପର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ଗୁରୁତ୍ଵ ଦେଇଛନ୍ତି ଭି.କେ ପାଣ୍ଡିଆନ୍ ।

ଜଗନ୍ନାଥ ବଲ୍ଲଭ ପାର୍କିଂ କାମ ସହ ଯାତ୍ରୀଙ୍କ ପାଇଁ କରାଯାଉଥିବା ବିଭିନ୍ନ ସୁବିଧାର ବିକାଶ, ପ୍ରମୋଦ ଉଦ୍ୟାନ ଓ ଶ୍ରୀସେତୁ କାମର ଅଗ୍ରଗତିର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଭି.କେ ପାଣ୍ଡିଆନ୍ । ଏଥିପାଇଁ ଅଧିକ ଲୋକ ନିୟୋଜିତ କରିବାକୁ କହିଥିଲେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ । ପୁରୀରେ ବିକାଶ କାର୍ଯ୍ୟର ସମୀକ୍ଷା ବେଳେ ଉପସ୍ଥିତ ଥିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ପୁରୀ ଜିଲ୍ଲାପାଳ, ଏସପି ଏବଂ ଓବିସିସି ଅଧିକାରୀ ।