ଚଳିତ ବର୍ଷ ୫ ଲକ୍ଷରୁ ଅଧିକ କଇଁଛ ଗଣ ଅଣ୍ଡାଦାନ ସମ୍ଭାବନା

ଗଞ୍ଜାମ: ଆରମ୍ଭ ହେଲା ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ । ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣରେ ଜମିଲେଣି ଅଲିଭ ରିଡଲେ । ଓଡ଼ିଶାର ୩ଟି ଉପକୂଳକୁ ପ୍ରତିବର୍ଷ ଶ୍ରୀଲଙ୍କାରୁ ଅଲିଭ ରିଡଲେ କଇଁଛମାନେ ଗଣଅଣ୍ଡାଦାନ ପାଇଁ ଆସିଥାନ୍ତି । ପୁରୀ ଜିଲ୍ଲାର ଦେବୀ ମୁହାଣ ଓ କେନ୍ଦ୍ରାପଡ଼ାର ଗହିରମଥା ମୁହାଣ ଅପେକ୍ଷା ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ଅଧିକ ପରିମାଣରେ କଇଁଛ ଅଣ୍ଡା ଦେଇଥାନ୍ତି ।

ମାର୍ଚ୍ଚ ମାସ ଆରମ୍ଭରୁ ଶେଷ ମଧ୍ୟରେ କଇଁଛମାନେ ଆସି ଋଷିକୂଲ୍ୟା ମୁହାଣରେ ଗଣଅଣ୍ଡାଦାନ କରିଥାନ୍ତି । ପ୍ରଥମ ଦିନରେ ୪୦ ହଜାର ୫୩୩ଟି କଇଁଛ ଅଣ୍ଡା ଦେଇଛନ୍ତି । ଦ୍ୱିତୀୟ ଦିନରେ ୧ ଲକ୍ଷ ୧୪ ହଜାର ୩୦୫ କଇଁଛ ଗଣଅଣ୍ଡାଦାନ କରିଛନ୍ତି । ଅଣ୍ଡାଦାନ ସ୍ଥାନକୁ ୫୦ଟି ସେଗମେଣ୍ଟରେ ବିଭିକ୍ତ କରାଯାଇ ଆବଶ୍ୟକ ବନବିଭାଗ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହୋଇଛନ୍ତି ।

ସେହିପରି ଗଞ୍ଜାମ ଜିଲ୍ଲାର ପୁରୁଣାବନ୍ଧ, ଗୋଖରକୁଦା, ପୋଡ଼ମପେଟା, ପ୍ରୟାଗୀ ଭଳି ଗାଁର ନିକଟରେ କଇଁଛମାନେ ଅଣ୍ଡାଦାନ କରିଥାନ୍ତି । ଏହି ବିରଳ ପ୍ରଜାତିର କଇଁଛ ମାନେ ଶ୍ରୀଲଙ୍କାରୁ ହଜାର ହଜାର ମାଇଲ ଜଳପଥରେ ଅତିକ୍ରମ କରି ଆସିଥାନ୍ତି । ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗକୁ ସହଯୋଗ କରନ୍ତି ସ୍ଥାନୀୟ ବାସିନ୍ଦା । ଚଳିତ ବର୍ଷ ପ୍ରାୟ ୫ ଲକ୍ଷରୁ ଅଧିକ କଇଁଛ ଗଣ ଅଣ୍ଡାଦାନ କରିପାରନ୍ତି ବୋଲି କହିଛନ୍ତି କଇଁଛ ସୁରକ୍ଷା ସମିତିର ସଦସ୍ୟ ।

ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛ ମାନେ ଦୀର୍ଘ ୫ରୁ ଅଧିକ ଦିନ ଧରି ଗଣଅଣ୍ଡାଦାନ କରିବେ । ୪୫ରୁ ଅଧିକ ଦିନ ପରେ ଏହି ଅଣ୍ଡାରୁ ଛୁଆ ବାହାରି ପୁଣି ସମୁଦ୍ରକୁ ଫେରିବେ ।