ମଙ୍କିପକ୍ସରେ ୫୮ ଜଣଙ୍କ ମୃତ୍ୟୁ

58 Dies In Monkeypox In Congo

କିଂଶାସା: କେନ୍ଦ୍ରୀୟ ଆଫ୍ରିକାର ଗଣରାଜ୍ୟ କଙ୍ଗୋରେ ଆତଙ୍କ ଖେଳାଇଛି ମଙ୍କିପକ୍ସ । ଏଥିରେ ୧୨୮୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କଙ୍ଗୋର ସଙ୍କୁର, ଶ୍ରୋପି, ଇକ୍ୱେଟୁର ଆଦି ସ୍ଥାନରୁ ୯୧୩ ଜଣ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ଚିହ୍ନଟ ହୋଇଥିବା ମୋଟ ମାମଲାର ଏହା ୭୫ ପ୍ରତିଶତ ।

ଡବ୍ଲୁଏଚଓର ୟୁରୋପ ଆଞ୍ଚଳିକ ନିର୍ଦ୍ଦେଶକ ଡ. ହଂସ ହେନରୀ କ୍ଲୁଜଙ୍କ ଅନୁସାରେ, ୟୁରୋପର ୮ଟି ଦେଶରେ ପ୍ରଥମେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ଯାଏ ୩୭ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୭୧ଟି ସନ୍ଦିଗ୍ଧ ମାମଲାର ଯାଞ୍ଚ କରାଯାଉଛି ।

ରିପୋର୍ଟ ଅନୁସାରେ, ମଙ୍କିପକ୍ସ ମାମଲା ବ୍ରିଟେନ୍, ପର୍ତ୍ତୁଗାଲ, ସ୍ପେନ୍, ସ୍ୱିଡେନ୍ ଓ ଆମେରିକାରେ ଚିହ୍ନଟ ହୋଇଛି । ଆଉ ମଙ୍କିପକ୍ସ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଲେ ସଂକ୍ରମଣ ବିପଦ ରହୁଛି । ଏହାଦ୍ୱାରା ଆକ୍ରାନ୍ତଙ୍କୁ ଜର ଆସୁଛି । ଦେହ ଦରଜ ହେବା ସହ ହାଲିଆ ଲାଗୁଛି ।