ତ୍ରିପୁରା ମିଶ୍ରଙ୍କୁ ବାଣୀ ଚିତ୍ର ସମ୍ମାନ ପ୍ରଦାନ

ଭୁବନେଶ୍ବର: ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ପ୍ରଦାନ ହେଲା ୫୫ତମ ବାଣୀ ଚିତ୍ର ସମ୍ମାନ । ଜୀବନ ବ୍ୟାପି ସାଧନା ପାଇଁ ତ୍ରିପୁରା ମିଶ୍ରଙ୍କୁ ପରୀକ୍ଷିତ ଜେନା ବାଣୀ ଚିତ୍ର ସମ୍ମାନ ପ୍ରଦାନ ଦିଆଯାଇଛି । ବିଶେଷ କରି ଅମୀୟ ପଟ୍ଟନାୟକ ପ୍ରଡକ୍ସନ ହାଉସ ଦ୍ବାରା ପ୍ରଯୋଜିତ ପ୍ରତୀକ୍ଷା, ଆର ଆର ଇଭେଣ୍ଟସ ପ୍ରଯୋଜିତ ମହାବାହୁ ଓ ଦମନ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଛି ।

ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି ପ୍ରତୀକ୍ଷା । ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଅନୁପମ ପଟ୍ଟନାୟକ, ଶ୍ରେଷ୍ଠ କାହାଣୀ ପାଇଁ ଗୌରହରୀ ଦାସ, ଶ୍ରେଷ୍ଠ ପ୍ରଯୋଜକ ଭାବେ ଦମନ ଫିଲ୍ମ ପ୍ରଯାେଜକ ଦୀପେନ୍ଦ୍ର ସାମଲଙ୍କୁ ସମ୍ମାନିତ କରାଯାଇଛି । ଶ୍ରେଷ୍ଠ ଖଳନାୟକ ଭାବେ ବବି ମିଶ୍ର, ଶ୍ରେଷ୍ଠ ଅଭିନେତା ଦ୍ବିପାନ୍ବିତ ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁନମ ମିଶ୍ରଙ୍କୁ ପୁରସ୍କୃତ କରାଯାଇଛି ।

ସେହିପରି ଶ୍ରେଷ୍ଠ ଚରିତ୍ର ଅଭିନୟ ପାଇଁ ଚୌଧୁରୀ ଜୟ ପ୍ରକାଶ ଦାସ ଓ ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ଭାବେ ଉଷଶୀ ମିଶ୍ରଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି । ମାସିକ ପତ୍ରିକା ବାଣୀଚିତ୍ରର ମୁଖ୍ୟ ସମ୍ପାଦକ ଭାସ୍କର ଜେନାଙ୍କ ସଂଯୋଜନାରେ ଏହି ସମ୍ମାନ ପ୍ରଦାନ ସମାରୋହ ଆୟୋଜନ କରାଯାଇଥିଲା । ବର୍ଷିଆନ ଅଭିନେତା ପ୍ରଶାନ୍ତ ନନ୍ଦ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ,ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସମ୍ମାନ ପ୍ରଦାନ କରିଥିଲେ । ଚଳିତ ବର୍ଷ ୧୪ଜଣଙ୍କୁ ବାଣୀ ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଛି।