କିମ୍ ଜଙ୍ଗ ଜୀବିତ ନା ମୃତ ? ଆମେରିକା ପଠାଇଲା ୫ ଗୁଇନ୍ଦା ବିମାନ

1 min read

ଆମେରିକା: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ ଜୀବିତ କି ମୃତ ? ଏହା ଏବେ ବିଲିୟନ ଡଲାରର ପ୍ରଶ୍ନ ପାଲଟିଯାଇଛି । ଲୌହ ପରଦା ଆବରଣ ତଳେ ଲୁଚିଥିବା ଉତ୍ତର କୋରିଆରୁ କୌଣସି ଖବର ଆସିବା ସହଜ କଥା ନୁହେଁ । ତାହା ଉପରେ ଏହା ସୁପ୍ରିମ ଲିଡରଙ୍କ ଜୀବନ ସଂପର୍କିତ ପ୍ରଶ୍ନ । ଏମିତିରେ ଉତ୍ତର କୋରିଆରୁ କିଛି ତଥ୍ୟ ମିଳିବା କାଠିକର ପାଠ । ଦୁନିଆ କିମ୍ ଜଙ୍ଗଙ୍କୁ ଗତ ୧୮ ଦିନ ଧରି ଦେଖିନାହିଁ । ସେ ଜୀବିତ ନା ମୃତ ତାହା ଜାଣିବା ପାଇଁ ଆମେରିକା ୫ଟି ହାଇଟେକ୍ ଗୁଇନ୍ଦା ବିମାନ ଉତ୍ତର କୋରିଆ ପଠାଇଥିବା ଜଣା ପଡିଛି ।


ଉତ୍ତର କୋରିଆ ଆକାଶରେ ଆମେରିକା ଗୁଇନ୍ଦା ବିମାନ ପଇଁତରା ମାରୁଥିବା ଖବର ପ୍ରଥମେ ବ୍ରେକ୍ କରିଥିଲା ଦକ୍ଷିଣ କୋରିଆ ମିଡିଆ । ଦ.କୋରିଆର ଗୋଟିଏ ଖବର କାଗଜ ଏସଂପର୍କିତ ଦାବି କରିଥିଲା । ରିପୋର୍ଟରେ ଦାବି କରାଯାଇଥିଲା ଯେ,ଆମେରିକା କିମ୍ ଜଙ୍ଗଙ୍କ ସହ ସଂପର୍କିତ ଗୁଜବ ଉପରେ ନଜର ରଖିବାକୁ ଗୁଇନ୍ଦା ବିମାନ ପଠାଇଛି ।
Chosun llboର ରିପୋର୍ଟ ଅନୁସାରେ ଦ.କୋରିଆ ଗୁଇନ୍ଦା ଏଜେନ୍ସି ମଧ୍ୟ ଏହି ଖବରକୁ ସ୍ୱୀକାର କରିଛି । ସେଠାକାର ସେନା ଅନୁସାରେ କିମଙ୍କ ସ୍ୱାସ୍ଥ୍ୟ ବାବଦରେ ଜାଣିବାକୁ ଏହି ବିମାନ ପଠାଯାଇଛି ।


କିମ୍ ବାବଦରେ ତଥ୍ୟ ସଂଗ୍ରହ କରିବା ପାଇଁ RC-12s,E-8C Joint STARS,EO-5C Crazy Hawk ଭଳି ବିମାନ ଏବେ ଉତ୍ତର କୋରିଆ ଆକାଶରେ ପଇଁତରା ମାରୁଛନ୍ତି । EO-5C ବିମାନ ସେନା ଗତିବିଧି ଉପରେ ନଜର ରଖେ । ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ମଧ୍ୟ ତଥ୍ୟା ସଂଗ୍ରହ ପାଇଁ ନିଜର ଗୋଟିଏ ବିମାନ ମୁତ୍ତୟନ କରିଛି ।


CIAର ପୂର୍ବତନ ବିଶେଷଜ୍ଞ ଜଙ୍ଗ୍ ପାକଙ୍କ କହିବା ହେଉଛି ଯେ, ଯେଉଁ କେତେଜଣ ବଛାବଛା ବ୍ୟକ୍ତି କିମ୍ ଜୋଙ୍ଗଙ୍କ ଅତି ନିକଟତମ ସେମାନଙ୍କ ପାଖରେ ମଧ୍ୟ କିମଙ୍କ ବାବଦରେ ତଥ୍ୟ ନାହିଁ । କିମ୍ ଜଙ୍ଗଙ୍କ ଜେଜେ କିମ୍ ଇଲଙ୍କ ମୃତ୍ୟୁ ସମ୍ପର୍କରେ ମଧ୍ୟ ବାକି ବିଶ୍ୱ ଅନେକ ଦିନ ପର୍ଯ୍ୟନ୍ତ ଜାଣି ପାରିନଥିଲା । ଉତ୍ତର କୋରିଆ ତରଫରୁ ଆଧିକାରିକ ଘୋଷଣା ପରେ ହିଁ କିମ୍ ଇଲଙ୍କ ମୃତ୍ୟୁ ବାବଦରେ ଜଣା ପଡିଥିଲା ।

ତେବେ ଦ.କୋରିଆ ମଧ୍ୟ ସାର୍ବଜନିକ ଭବେ କିମଙ୍କୁ ନେଇ ଉଡୁଥିବା ଗୁଜବକୁ ଖାରଜ କରିଛି । କିମ୍ କରୋନାକୁ ଡରି ଏକାନ୍ତବାସରେ ଥାଇ ପାରନ୍ତି ବୋଲି ଦକ୍ଷିଣ କୋରିଆ କହୁଛି ।
ଅନେକ ରିପୋର୍ଟରେ କିମ୍ ଜଙ୍ଗ ଗମ୍ଭୀର ଭାବେ ଅସୁସ୍ଥ ଥିବା କୁହାଯାଉଛି । କିନ୍ତୁ ଏହି ରିପୋର୍ଟର ସତ୍ୟତାକୁ ନେଇ ସନ୍ଦେହ ରହିଛି । ତେବେ ନିକଟରେ ଚୀନରୁ ଉତ୍ତର କୋରିଆକୁ ମେଡିକାଲ ଏକ୍ସପର୍ଟଙ୍କ ଟିମ୍ ଆସିଥିଲେ । ଏହାକୁ କିମଙ୍କ ଅସୁସ୍ଥତା ସହ ଯୋଡିକରି ଦେଖାଯାଉଛି ।

କୁଆଡେ ଗଲେ ଉତ୍ତର କୋରିଆ ଶାସକ, କାହିଁକି ସର୍ବସମ୍ମୁଖକୁ ଆସୁ ନାହାଁନ୍ତି କିମ ଜଙ୍ଗ ଉନ୍…‌

କିମଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଖବର ଉପରେ ଆମେରିକା ନଜର ରଖିଥିବା କହୁଛି କିନ୍ତୁ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏବାବଦରେ ପଚରା ଯାଇଥିଲେ ମଧ୍ୟ ସେ ସ୍ପଷ୍ଟ ଭାବେ କିଛି ବି କହିନଥିଲେ ।
ଅନ୍ୟପକ୍ଷରେ ମଙ୍ଗଳବାର ଦିନ ଏକ ରିପୋର୍ଟରେ ଏହା ଦାବୀ କରାଯାଇଛି ଯେ, କିମ୍ ଜୋଙ୍ଗ ଉନ ଅସୁସ୍ଥ ଥିବା ଖବର ଦେଶ ମଧ୍ୟରେ ପ୍ରସାରିତ ହେଉଛି । dailynk.com ଅନୁସାରେ ଉତ୍ତର କୋରିଆରେ ଭାଇରାଲ ହେଉଥିବା ଗୋଟିଏ ଭିଡିଓରେ କିମ୍ ଗମ୍ଭୀର ଭାବେ ଅସୁସ୍ଥ ବୋଲି ଦାବି କରାଯାଉଛି ।

Leave a Reply

ନଜର ପକାନ୍ତୁ