ପାଠ ଆଗରେ ହାର ମାନିନି ବୟସ, ପୌଢ଼ଶିକ୍ଷାର ନୂଆ ଆଶା ତିଳୋତମା

ପାରାଦୀପ: କେଉଁଠୁ କେମିତି ଆରମ୍ଭ ହୋଇଥିଲା ଏ ଯାତ୍ରା । ୧୯୯୬ରେ ପାଠ ଆରମ୍ଭ କରିଥିଲେ ସେ ଆଉ ଆଜି ଦେଉଛନ୍ତି ମାଟ୍ରିକ ପରୀକ୍ଷା କଥାଟା ଆପଣଙ୍କୁ ହୁଏତ ଅଡ଼ୁଆ ଲାଗିଥାଇପାରେ ୨୪ବର୍ଷ ପରେ କାହିଁକି ମାଟ୍ରିକ ପରୀକ୍ଷା ଦେଉଛନ୍ତି ତିଳୋତମା ?

ପାଠ ପଢ଼ିବା ପାଇଁ ବୟସ ନାହିଁ । ଆଉ ଦୃଢ଼ ଇଚ୍ଛା ଶକ୍ତି ଆଗରେ ବୟସ କେବଳ ଏକ ସଂଖ୍ୟା। ଏ କଥାକୁ ଏକଦମ ଠିକ୍‌ ପ୍ରମାଣିତ କରିଛନ୍ତି ପାରାଦୀପର ତିଳୋତମା ପାତ୍ର । ବୟସ ଏବେ ୫୩ ବର୍ଷ । କିନ୍ତୁ ଏ ବୟସରେ ଦେଉଛନ୍ତି ମାଟ୍ରିକ ପରୀକ୍ଷା । ୧୯୯୬ରେ ପୌଢ଼ଶିକ୍ଷା କେନ୍ଦ୍ରରେ ପାଠ ପଢ଼ା ଆରମ୍ଭ କରିଥିଲେ । କିନ୍ତୁ ପାରିବାରିକ ଜଞ୍ଜାଳ ଭିତରେ ଆଗକୁ ପାଠ ପଢ଼ିବା ସମ୍ଭବ ହୋଇ ନ ଥିଲା । କିନ୍ତୁ ଏହାରି ଭିତରେ ବହି, ପେପର ପଢ଼ିବା ସହ କବିତା ଲେଖାଲେଖି କରୁଥିଲେ । ଯାହା ବିଭିନ୍ନ ପତ୍ରପତ୍ରିକାରେ ବି ବାହାରିଛି । ଏବେ ପାରାଦୀପ ନୂଆବଜାରରେ ଆଶା କର୍ମୀ ଭାବେ କାମ କରୁଛନ୍ତି । ମାଟ୍ରିକ ପାସ୍‌ ନ କରିଲେ ଆଶା କର୍ମୀ ହୋଇପାରିବେନି ବୋଲି ସରକାର ନିୟମ କରିଛନ୍ତି । ସେଥିପାଇଁ ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଛନ୍ତି ତିଳୋତମା । କୁଜଙ୍ଗ ବି.ବି. ହାଇସ୍କୁଲରେ ପରୀକ୍ଷା ଦେଉଛନ୍ତି ତିଳୋତମା ପାତ୍ର । ଯାହାକୁ ନେଇ ନୂଆବଜାର ମୁଣ୍ଡାପଡ଼ା ବସ୍ତିରେ ଖୁସିର ମାହୋଲ । ତିଳୋତମାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତେ ସହଯୋଗର ହାତ ବଢାଇଛନ୍ତି ।

Leave a Reply