ଘରେ ପଡ଼ିଲା ୫୦୦ କିଲୋର ଋଷ ବୋମା

1 min read

କିଭ୍: ଋଷ-ୟୁକ୍ରେନ୍ ଯୁଦ୍ଧକୁ ଦିନ ଯେତେ ଗଡୁଛି ସ୍ଥିତି ସେତେ ଭୟଙ୍କର ହେବାରେ ଲାଗିଛି । ୟୁକ୍ରେନକୁ ତିନିପଟୁ ଘେରାବନ୍ଦୀ କରି ଋଷ ସେନା ଘନ ଘନ ଆକ୍ରମଣ କରିବାରେ ଲାଗିଛି । ୟୁକ୍ରେନ ବି ପାଲଟା ଜବାବ ଦେଉଛି । ହେଲେ ଋଷ ଆଗରେ ଏହା କିଛି ନୁହେଁ । ଏପଟେ ଋଷ ସେନା ରାଜଧାନୀ କିଭ୍ ଦଖଲ କରିବାକୁ ଆଗକୁ ବଢ଼ି ଚାଲିଛି ।

କେବଳ କିଭ୍ ନୁହେଁ ୟୁକ୍ରେନର ଅନ୍ୟ ସହର ଉପରେ ମଧ୍ୟ ଋଷର ଆକ୍ରମଣ ଜାରି ରହିଛି । ଆକାଶରୁ ମିଜାଇଲ ସହ ବର୍ଷୁଛି ବୋମା । ଏମିତି ଏକ ବୋମା ୟୁକ୍ରେନର ଅନ୍ୟତମ ସହର ଚେରନିହିବରେ ଜଣେ ବ୍ୟକ୍ତଙ୍କ ଘରେ ପଡିଛି । ଋଷ ଫିଙ୍ଗିଥିବା ଏହି ବୋମାଟିର ଓଜନ ୫୦୦ କେଜି । ହେଲେ ବୋମାଟି ଫାଟିନି । ଏନେଇ ୟୁକ୍ରେନ ବିଦେଶ ମନ୍ତ୍ରୀ ଦିମିତ୍ରୋ କଲଓ୍ବା ଟ୍ବିଟ୍ କରି ଏ ସମ୍ପର୍କରେ ଜଣାଇଛନ୍ତି ।

ସେ କହିଛନ୍ତି, ଋଷ ତରଫରୁ ଏମିତି ବହୁତ ବୋମା ଜନବସତି ଅଞ୍ଚଳରେ ମାଡ଼ କରାଯାଉଛି । ଏଥିରୁ ବହୁତ ଫାଟୁଛି ଓ ୟୁକ୍ରେନର ସାଧାରଣ ଜନତାଙ୍କ ଜୀବନ ନେଉଛି । ବହୁ ସ୍ଥାନରେ ବୋମା ନଫାଟି ଏମିତି ପଡି ରହୁଛି ।

ଏହାସହ ୟୁକ୍ରେନକୁ ସହାୟତା ଯୋଗାଇ ଦେବାକୁ ଓ ଋଷ ବିରୋଧରେ ଯୁଦ୍ଧ ଲଢିବାକୁ ଛିଡ଼ଶ ହେବାକୁ ବିଶ୍ବବାସୀଙ୍କୁ ସେ ଅନୁରୋଧ କରିଛନ୍ତି ।