୫୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା, ପୂଜକଙ୍କ ସମେତ ୩ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜଣେ ୫୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ନୃଶଂସ ଭାବେ ହତ୍ୟା କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାରେ ବଦାୟୁଁ ପୋଲିସ ଜଣେ ମନ୍ଦିର ପୂଜକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ।

ପୀଡ଼ିତା ଜଣକ ଜଣେ ଅଙ୍ଗନଓ୍ୱାଡି ସହାୟିକା ବୋଲି ଜଣାପଡ଼ିଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କୁ ଦୁର୍ବୃତ୍ତମାନେ ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି ।

ଗତ ୩ ତାରିଖ ସନ୍ଧ୍ୟାରେ ମହିଳା ଜଣକ ଘର ନିକଟ ଏକ ମନ୍ଦିରକୁ ପୂଜା କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ବର୍ଗ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ଯାହା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ ।

ସେହିଦିନ ରାତିରେ ଅଭିଯୁକ୍ତ ମାନେ ମହିଳାଙ୍କ ମୃତଦେହ ଗାଡ଼ିରେ ଆଣି ତାଙ୍କ ଘର ଆଗରେ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ହେଲେ ଏନେଇ ରବିବାରଠାରୁ ଥାନାରେ ଅଭିଯୋଗ ହୋଇଥିଲେ ବି ପୋଲିସ ମଙ୍ଗଳବାର ପର୍ଯ୍ୟନ୍ତ ମାମଲା ରୁଜୁ କରିନଥିଲା ।

ଅନ୍ୟପଟେ ପୋଲିସର ଅବହେଳା ଯୋଗୁ ମହିଳାଙ୍କ ମୃତଦେହ ୪୮ ଘଣ୍ଟା ପରେ ବ୍ୟବଚ୍ଛେଦ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଆହୁରି ମଧ୍ୟ ଏଭଳି ସ୍ପର୍ଶକାତର ଘଟଣା ସମ୍ପର୍କରେ ଖବର ପାଇବା ପରେ  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଦନ୍ତ ରିପୋର୍ଟ ମାଗିଥିବା ସୂଚନା ମିଳିଛି ।

Leave a Reply