ଟୁଇନ୍‌ ସିଟିକୁ ଜଗିବେ ୫୦ ପ୍ଳାଟୁନ ପୋଲିସ, ରାତି ସାଢେ ୧୨ଟା ଯାଏଁ ହୋଟେଲକୁ ଅନୁମତି

ଭୁବନେଶ୍ବର: ଆସୁଛି ନୂଆବର୍ଷ । ସେଲିବ୍ରେସନ୍ ମୋଡରେ ଟୁଇନ୍ସିଟି । କମିଶନରେଟ ପୋଲିସର ଆକ୍ସନପ୍ଲାନ୍ । ବିଶୃଙ୍ଖଳାକାରୀଙ୍କୁ ପୋଲିସ କମିଶନରଙ୍କ ଚେତାବନୀ । ମଦ ପିଇ ଉତ୍ପାତ କଲେ ବାନ୍ଧିବ ସ୍ବତନ୍ତ୍ର ସ୍କ୍ବାଡ୍ । ରାତି ସାଢେ ୧୨ଟା ପର୍ଯ୍ୟନ୍ତ ନାଚଗୀତ ପାଇଁ ହୋଟେଲକୁ ଅନୁମତି । ଟୁଇନ୍ସିଟିକୁ ଜଗିବେ ୫୦ ପ୍ଳାଟୁନ୍ ପୋଲିସ୍ । ମିଡ୍ନାଇଟ୍ ପର୍ଯ୍ୟନ୍ତ ଖୁସିରେ ଖୁସିରେ ସମସ୍ତେ ଜିରୋନାଇଟ ଓ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଟୁଇନ୍ସିଟିର ସବୁ ତାରକା ହୋଟେଲ ସମେତ ବଡ ବଡ ଆପାର୍ଟମେଣ୍ଟକୁ ରାତି ୧୨ଟା ୩୦ ପର୍ଯ୍ୟନ୍ତ ନାଚଗୀତ କରିବା ଅନୁମତି ପ୍ରଦାନ କରାଯାଇଛି । ସେଲିବ୍ରେସନ ସାରି ଶୃଙ୍ଖଳିତ ଭାବରେ ଘରେ ପହଞ୍ଚିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ଅମାନିଆ ଏବଂ ରୋଡରୋମିଓଙ୍କୁ ସାବଧାନ୍ କରାଇଛନ୍ତି କମିଶନର ।

କଡା ସୁରକ୍ଷା ବ୍ୟବସ୍ଥା ସହ ନିୟମ ଅନୁସାରେ ଉତ୍ସବ ପାଳନ କରିବା ପାଇଁ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ତାରକା ହୋଟେଲ କର୍ମଚାରୀଙ୍କୁ ଡାକି ବୈଠକ କରିଛନ୍ତି । ବୈଠକରେ ହୋଟେଲ ଗୁଡିକର ବ୍ୟବସ୍ଥା ଓ ସୁରକ୍ଷା ନେଇ ଅବଗତ କରିଛନ୍ତି ହୋଟେଲିୟର । ସେଲିବ୍ରେସନ ବେଳେ ଯେମିତି କୌଣସି ସ୍ଥାନରେ ଗଣ୍ଡଗୋଳ ନ ହୁଏ ସେ ନେଇ ସଂପୂର୍ଣ୍ଣ ବ୍ଳୁପ୍ରିଣ୍ଟ ପ୍ରସ୍ତୁତ କରିଛି ପୋଲିସ । ବିଶେଷ କରି ପବ୍, ବାର, ତାରକା ହୋଟେଲ ସହ ବଡବଡ ଆପାର୍ଟମେଣ୍ଟ ଉପରେ ନଜର ରହିବ ବୋଲି କହିଛନ୍ତି ପୋଲିସ କମିଶନର ।

ବିଗତ ବର୍ଷ ଗୁଡିକରେ ମଦ୍ୟପାନ କରି ଘରକୁ ଫେରୁଥିବା ଲୋକଙ୍କୁ ପୋଲିସ ଅଟକ ରଖୁଥିଲା । କିନ୍ତୁ ଚଳିତ ବର୍ଷ ଅତ୍ୟଧିକ ମଦ୍ୟପାନ କରି ରଫ୍ ଡ୍ରାଇଭିଂ କଲେ ସାରା ରାତି ପୋଲିସ ଷ୍ଟେସନରେ କଟିବ ବୋଲି ଚେତାଇ ଦିଆଯାଇଛି ।