ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ, ଦେଶକୁ ବଳ ଦେବ ଗ୍ରାମୀଣ ଅର୍ଥନୀତି

ନୂଆଦିଲ୍ଲୀ: ୨୧ ଦିନର ଲକଡାଉନରେ ଦେଶ ସହ ପୂରା ଠପ୍ ହୋଇଯାଇଥିଲା ଅର୍ଥବ୍ୟବସ୍ଥା । ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହେବା ସହ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଆଉ ଯାହା ଦେଶର ଅର୍ଥନୀତି ପାଇଁ ସଞ୍ଜିବନୀ ଭଳି କାମ କରିବ । ଗୋଟିଏ ପଟେ ଚାଷ କାର୍ଯ୍ୟ ଉପରୁ ସରକାର ପ୍ରତିବନ୍ଧକ ହଟାଇବା ପରେ କୃଷକଙ୍କ ଆଶଙ୍କା ଦୂର ହୋଇଛି । ଅନ୍ୟପଟେ ସର୍ତ୍ତ ସହିତ ଗ୍ରାମୀଣ ଇଲାକାରେ ଥିବା ଅଧିକାଂଶ ଉଦ୍ୟୋଗକୁ କାମ କରିବାକୁ ଅନୁମତି ମିଳିଛି । ଏଥିସହ ଦେଶର ଆତ୍ମା କୁହାଯାଉଥିବା ଗାଁରେ ସଡ଼କ ଓ ଗୃହ ନିର୍ମାଣ ଉପରୁ ହଟିଛି ପ୍ରତିବନ୍ଧକ । ଏହିସବୁ କ୍ଷେତ୍ରର ପୂରା ଯୋଗଦାନକୁ ଦେଖିଲେ ଏହା ଜିଡିପିର ୫୦ ପ୍ରତିଶତ ପାଖାପାଖି ହେବ ।

ଲକଡାଉନ୍ 2.0: ଗାଇଡଲାଇନ୍ ଜାରି କଲା ଗୃହ ମନ୍ତ୍ରାଳୟ , ଆରମ୍ଭ ହେବ କୃଷି କାର୍ଯ୍ୟ

କୃଷି

କେନ୍ଦ୍ର ଗୃହ ମନ୍ତ୍ରାଳୟର ନୂଆ ଗାଇଡଲାଇନରେ କୃଷିକ୍ଷେତ୍ରକୁ ଆଶ୍ୱସ୍ତି ମିଳିଛି । ଏଥିସହ ଚାଷକାର୍ଯ୍ୟ ସହ ଜଡ଼ିତ ଶିଳ୍ପ ଚାଲୁ ରହିବାକୁ ଅନୁମତି ମିଳିଛି । ଚାଷୀ ଭାଇ ଫସଲ କରିବା ସହିତ ମତ୍ସ୍ୟ ପାଳନ, ପଶୁ ପାଳନ ଭଳି କାର୍ଯ୍ୟ ଉପରୁ ପ୍ରତିବନ୍ଧକ ହଟିଛି । ଚାଷ କାର୍ଯ୍ୟରେ ବ୍ୟବହୃତ ରସାୟନିକ ସାର, ମଞ୍ଜି, କୀଟନାଶକ ପ୍ରସ୍ତୁତ କମ୍ପାନୀ ମଧ୍ୟ କାର୍ଯ୍ୟ କରିବେ । କୃଷି ଓ ଏହା ସମ୍ବନ୍ଧିତ କ୍ଷେତ୍ରର ଯୋଗଦାନ ଅର୍ଥ ବ୍ୟବସ୍ଥାରେ ୧୫ ପ୍ରତିଶତ ରହିବ । ଏଥିସହ ଦେଶର ଜନସଂଖ୍ୟାର ଅଧା ଭାଗ କୃଷି ସହ ଜଡ଼ିତ ଓ ଏହା ରୋଜଗାର ସୃଷ୍ଟିର ବଡ଼ ମାଧ୍ୟମ ।

ନିର୍ମାଣ

ସହର ଠାରୁ ଦୂରରେ ଜାରି ରହିବ ନିର୍ମାଣ କାର୍ଯ୍ୟ । ନୂତନ ଗାଇଡଲାଇନରେ କେନ୍ଦ୍ର ସରକାର ଏହି ଅନୁମତି ଦେଇଛନ୍ତି । ରୋଜଗାର ଦୃଷ୍ଟି କୋଣରୁ ଦେଖିଲେ କୃଷି ପରେ ନିର୍ମାଣ କ୍ଷେତ୍ର ଅଧିକ ନିଯୁକ୍ତି ଦିଏ । ଆଉ ସରକାର ମଧ୍ୟ ଗୃହ ସହିତ ସଡ଼କ ଓ ଅନ୍ୟ ନିର୍ମାଣ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି । ଏପିରିକି ଗ୍ରାମୀଣ ଇଲାକାରେ ଥିବା ଇଟାଭାଟି ମଧ୍ୟ ଚାଲିବ । ନିର୍ମାଣ କ୍ଷେତ୍ର, ଜିଡିପିର ଦ୍ୱିତୀୟ ସ୍ତରରେ ଆସେ । ବର୍ତ୍ତମାନ ସମୟରେ ଜିଡିପିରେ ନିର୍ମାଣ କ୍ଷେତ୍ରର ଭାଗିଦାରୀ ୨୭ ପ୍ରତିଶତରୁ ଅଧିକ ।

ଗ୍ରାମୀଣ ଉଦ୍ୟୋଗ

ନୂଆ ଗାଇଡଲାଇନରେ ଗ୍ରାମାଞ୍ଚଳରେ ଥିବା ପ୍ରାୟ ସବୁ ଉଦ୍ୟୋଗକୁ ସରକାର ପ୍ରତିବନ୍ଧକ ମୁକ୍ତ କରିଛନ୍ତି । ଗ୍ରାମାଞ୍ଚଳରେ ଥିବା ପାରମ୍ପରିକ ଶିଳ୍ପ ସହ ଆଧୁନିକ ଜ୍ଞାନକୌଶଳରେ ଚାଲୁଥିବା ଉଦ୍ୟୋଗ ମଧ୍ୟ କାର୍ଯ୍ୟ କରିବେ ।

ଅର୍ଥ

ପୂର୍ବରୁ ଏମିତି ବି ବ୍ୟାଙ୍କ ଖୋଲା ଥିଲା । ଏଥର ସମ୍ପୂର୍ଣ୍ଣ ଅର୍ଥ କ୍ଷେତ୍ରକୁ ଉନ୍ମୁକ୍ତ କରି ଦିଆଯାଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ଜଡ଼ିତ ସଂସ୍ଥା ମଧ୍ୟ ଖୋଲା ରହିବ । ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ମଧ୍ୟ କାର୍ଯ୍ୟ କରିବ । ବୀମା ସହ ଜଡ଼ିତ ସଂସ୍ଥା ମଧ୍ୟ ଖୋଲା ରହିବ ।

ସାଧାରଣ ବ୍ୟବହାର୍ଯ୍ୟ

ସରକାର ପବ୍ଲିକ୍ ୟୁଟିଲିଟି ସେକ୍ଟରକୁ ମୁକ୍ତ ରଖିଛନ୍ତି । ପେଟ୍ରୋଲିୟମ ଏବଂ ଗ୍ୟାସ୍ ଯୋଗାଣ ଉପରେ ପୂର୍ବରୁ କଟକଣା ନଥିଲା । ଏବେ ଏହା ସହ ଜଡ଼ିତ ଶୀତଳଭଣ୍ଡାର, କଣ୍ଟେନର ଆଦି ସେବା ଚାଲୁ ରଖିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି ।

ସାମାଜିକ

ଛୁଆଙ୍କ ଲାଗି ଥିବା ସଙ୍ଗଠନ, ମାନସିକ ବିକୃତଙ୍କ ଲାଗି ଆଶ୍ରମ, ବୟସ୍କ ଓ ବିଧବାଙ୍କ ପାଇଁ ଖୋଲା ଯାଇଥିବା ଆଶ୍ରମ ବା ସଂସ୍ଥା କାର୍ଯ୍ୟ କରିବ । ଏଥିସହ ଗ୍ରାମାଞ୍ଚଳରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ମଧ୍ୟ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି ।

ଘରେ ମିଳିବ ସେବା

ଲକଡାଉନ୍ ସମୟରେ ଇଲେକ୍ଟ୍ରିସିଆନ୍, ପ୍ଲମ୍ବର, କାରପେଣ୍ଟର ଆଦି ସେବା ମିଳୁନଥିଲା । ଏପିରିକି କେତକ ଘର ବିଦ୍ୟୁତ୍ ବିଭ୍ରାଟ ଓ ଉପକରଣ ଖରାପ ଯୋଗୁଁ ଅନ୍ଧାରରେ ଥିଲା । ଏବେ ଇଲେକ୍ଟ୍ରିସିଆନ୍ ଆସି ମରାମତି କରିପାରିବେ । ଅନ୍ୟ କୌଣସି ଉପକରଣ ଖରାପ ହେଲେ ମେକାନିକ୍ ଆସି ସଜାଡ଼ି ପାରିବେ । ଏହି ସେବା ସହିତ ଜଡ଼ିତ ଲୋକଙ୍କ ଅର୍ଥବ୍ୟବସ୍ଥାରେ ବଡ଼ ଯୋଗଦାନ ରହିଛି ।

ଚାଲିବ ମନେରଗା

କିଛି ସର୍ତ୍ତ ସହ ସରକାର ଗ୍ରାମାଞ୍ଚଳରେ ଚାଲିଥିବା ମନେରଗା କାର୍ଯ୍ୟକୁ ମଞ୍ଜୁରୀ ଦେଇଛନ୍ତି । ଫଳରେ ଲକ୍ଷ ଲକ୍ଷ ଶ୍ରମିକ ଉପକୃତ ହେବେ । କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ମୁତାବକ, ଦେଶରେ ୧୨ କୋଟି ସକ୍ରିୟ ମନେରଗା ଶ୍ରମିକ ରହିଛନ୍ତି ।

Leave a Reply