ଶିୟା ମୁସଲିମଙ୍କ ଶୋଭାଯାତ୍ରାରେ ବୋମା ବିସ୍ଫୋରଣ, ୩ ମୃତ ଓ ୫୦ ଆହତ

ବହାବଲନଗର: ପାକିସ୍ତାନର ପଞ୍ଜାବ ଅଞ୍ଚଳର ବହାବଲନଗରରେ ଗୁରୁବାର ଦିନ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ହୋଇଛି । ଯେଉଁଠି ଶିୟା ମୁସଲମାନଙ୍କର ଏକ ଶୋଭାଯାତ୍ରା କରାଯାଉଥିଲା । ଏହି ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମଧ୍ୟ ପାକିସ୍ତାନରେ ଶିୟା ମୁସଲମାନଙ୍କର ଏକ ଶୋଭାଯାତ୍ରା ଚାଲିଥିବା ବେଳେ ବିସ୍ଫୋରଣ ହୋଇଛି । ଏହି ଧମାକାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଥିବା ବେଳେ ଏନେଇ ଏକ ଭିଡ଼ିଓ ଭାଇରାଲ୍ ହେଉଛି ।

ଯେଉଁ ଭିଡ଼ିଓରେ ଦେଖିବାକୁ ମିଳୁଛି, ବିସ୍ଫୋରଣ ପରେ କିଭଳି ଲୋକମାନେ ରାସ୍ତା କଡରେ ବସି ସହାୟତା ପାଇଁ ଅପେକ୍ଷା କରିଛନ୍ତି । ଦେଖଣାହାରୀଙ୍କ ମୁତାବକ, ଏହି ଧମାକା ପରେ ସହରରେ ଉତ୍ତେଜନା ବଢିଯାଇଛି । ଏପରିକି ଆକ୍ରମଣ ପରେ ଶିୟା ସମୁଦାୟ ପ୍ରତିଶୋଧ ପାଇଁ ଦାବି କରିଛନ୍ତି ।

ଶିୟା ନେତା ଖାବର ଘଟଣାର ନିନ୍ଦା କରିବା ସହ କହିଛନ୍ତି ଯେ ଶୋଭାଯାତ୍ରା ଗହଳି ପୂର୍ଣ୍ଣ ଅଞ୍ଚଳ ମୁଜାହିର କଲୋନୀ ଦେଇ ବାହାରୁଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ତେବେ ସେ ଶୋଭାଯାତ୍ରାର ସୁରକ୍ଷା ବଢାଇବା ଲାଗି ମଧ୍ୟ ଅପିଲ୍ କରିଛନ୍ତି ।

ଅପରପକ୍ଷେ ଏହି ଅଞ୍ଚଳରେ ସଞ୍ଚାର ସେବା ଗୁଡିକୁ ବନ୍ଦ କରିଦିଆଯାଇଛି । ପାକିସ୍ତାନରେ ଶିୟା ମୁସଲିମଙ୍କ ଅଶୌରା ଉତ୍ସବକୁ ନଜରରେ ରଖି ଗୋଟିଏ ଦିନ ପୂର୍ବରୁ ଟେଲି ଫୋନ୍ ସେବା ବନ୍ଦ କରି ଦିଆଯାଇଛି।

Leave a Reply