ସ୍କୁଲ ଯାଉଥିବା ବେଳେ ଛାତ୍ରଙ୍କୁ ମାଡ଼ିବସି ଇଞ୍ଜେକ୍ସନ ଦେଇ ଦେଲେ ୫ ଅଜଣା ଯୁବକ

1 min read

କଣ୍ଟାମାଳ: ସବୁଦିନ ପରି ସ୍କୁଲ ଯାଉଥିଲେ ଛାତ୍ର । ହେଲେ ବାଟରେ ଅଟକାଇଲେ ୫ ଅଜଣା ଯୁବକ । ମାଡ଼ି ବସି ଜୋର ଜବରଦସ୍ତ ଦେଇ ଦେଲେ ଇଞ୍ଜେକ୍ସନ । ଫଳରେ ସେହିଠାରେ ଅଚେତ ହୋଇଗଲେ ଛାତ୍ର । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଯୋରରେ ଘଟିଛି । ଘଟଣା ପରେ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅଭିଭାବକମାନେ ଭୟଭିତ ଅବସ୍ଥାରେ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବୌଦ୍ଧ ମନମୁଣ୍ଡା ଥାନା ତୁଳସୀକଟା ଗାଁର କାଶୀ ବାଗଙ୍କ ପୁଅ ସମ୍ବିତ ବାଗ । ସବୁଦିନ ପରି ଆଜି ବି ଗବଯୋର ଉଚ୍ଚ ବିଦ୍ୟାଳୟକୁ ଆସୁଥିଲା l ତେବେ ସ୍କୁଲରେ ପହଞ୍ଚିବା ପୂର୍ବରୁ ଗବଯୋର ଗାଁରେ ହଠାତ ୫ ଜଣ ଅଜଣା ଯୁବକ ଆସି ସମ୍ବିତକୁ ମାଡ଼ିବସି ଏକ ଇଞ୍ଜେକ୍ସନ ଦେଇ ଦେଇଥିଲେ l ଏହା ସ୍ଥାନୀୟ ଲୋକେ ଦେଖି ପାଟି କରିବାରୁ ଦୁର୍ବୃତ୍ତିମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ସ୍ଥାନୀୟ ଲୋକେ ସମ୍ବିତଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମ୍ବିତଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ସମ୍ବିତଙ୍କ ଚିକିତ୍ସା ଚାଲିଛି । ତେବେ କିଏ ଓ କାହିଁକି ସମ୍ବିତଙ୍କୁ ଏମିତି ଇଞ୍ଜେକ୍ସନ ଦେଲା ତାହା ସ୍ପଷ୍ଟ ହୋଇନି ।