ଉସକାଇଲା ପାକିସ୍ତାନ: ଏନ୍‌କାଉଣ୍ଟରରେ ନିପାତ ହେଲେ ୫ ଆତଙ୍କବାଦୀ

1 min read

ଜମ୍ମୁ-କଶ୍ମୀର: ଭାରତର ଶାନ୍ତି ଅପିଲକୁ ବାରମ୍ବାର ଖଣ୍ଡନ କରୁଛି ପାକିସ୍ତାନ । ଶାନ୍ତି ବଦଳରେ ଭାରତକୁ ଯୁଦ୍ଧ ପାଇଁ ଉସକାଉଛି । ଜମ୍ମୁରେ ବିସ୍ଫୋରଣ ପରେ ଏବେ ଇସଲାମାବାଦ ସ୍ଥିତ ଭାରତୀୟ ଦୂତାବାସ ଉପରେ ଡ୍ରୋନ ଉଡ଼ାଇଲେ ଆତଙ୍କବାଦୀ । ଏହାକୁ ଭାରତ ସରକାର ନିନ୍ଦା କରିବା ସହ ଘଟଣା ଉପରେ ନଜର ରଖିଛନ୍ତି । ଏପଟେ ପୁଲଓ୍ୱାମାରେ ଭାରତୀୟ ଯବାନଙ୍କୁ ମିଳିଛି ସଫଳତା । ଏନକାଉଣ୍ଟରରେ ଟଳିଛନ୍ତି ୫ ଆତଙ୍କବାଦୀ ।

ବାଘକୁ ଉସୁକାଉଛି ପାକିସ୍ତାନ । ଡ୍ରୋନ ଟାର୍ଗେଟରେ ପୁଣି ଭାରତ । ଏଥର କିନ୍ତୁ ଭାରତ ସୀମାରେ ନୁହେଁ ବରଂ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ ଉପରେ ଉଡିଛି ଆତଙ୍କ । ଏହାକୁ ନେଇ ଭାରତ ତୀବ୍ର ପ୍ରତିବାଦ କରିଛି । ଗତ କିଛି ଦିନ ଧରି ଭାରତ ସୀମାରେ ଡ୍ରୋନ ଉଡିବା ଯୋଗୁ ଚିନ୍ତାରେ ଅଛି ପ୍ରତିରକ୍ଷା ବିଭାଗ । ଦୂତାବାସ ଉପରେ କିପରି ଡ୍ରୋନ ଉଡିଲା ଓ କିପରି ନିରାପତ୍ତା ଉଲ୍ଲଂଘନ ହେଲା ତାହାକୁ ନେଇ ଚିନ୍ତାବ୍ୟକ୍ତ କରିଛି ଭାରତ । ଜାମ୍ମୁରେ ବାରମ୍ବାର ଡ୍ରୋନ ଉଡୁଥିବାକୁ ନେଇ ଦୁଇ ଦେଶ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି ।

ଏପଟେ ଭାରତ ଉପରେ ବଡ଼ଧରଣର ଆକ୍ରମଣ କରିବାକୁ ସୀମା ସେପଟୁ ଚାଲିଛି ଷଡଯନ୍ତ୍ର । ଜାମ୍ମୁରେ ତୃତୀୟ ଥର ପାଇଁ ଉଡ଼ିଛି ଡ୍ରୋନ୍ । ଅର୍‌ନିଆ ସେକ୍ଟରର ଅନ୍ତରାଷ୍ଟ୍ରୀୟ ସୀମାରେ ଡ୍ରୋନ ଉଡୁଥୁବା ଦେଖିବାକୁ ମିଳିଛି । BSF ଯବାନ ଗୁଳି ଚଳାଇଥିଲେ ମଧ୍ୟ କୁଆଡେ ଗାଏବ ହୋଇଯାଇଥିଲା । ଗତ ୩୦ ତାରିଖରେ ଜାମ୍ମୁରେ ଦ୍ବିତୀୟ ଥର ପାଇଁ ଉଡିଥିଲା ଡ୍ରୋନ୍ । କିଛିଦିନ ଭିତରେ ଏହି ଅଞ୍ଚଳରେ ପ୍ରାୟ ୮ଟି ଡ୍ରୋନ୍ ଦେଖାଗଲାଣି । ମିଲିଟାରୀ ବେସ୍ ଓ ମିଲିଟାରୀ ଷ୍ଟେସନ ନିକଟରେ ବାରମ୍ବାର ଡ୍ରୋନ ଦେଖାଯିବାରୁ ସୁରକ୍ଷା ଏଜେନ୍ସିର ଚିନ୍ତା ବଢିଯାଇଛି ।

ପାକିସ୍ତାନର ଏଭଳି ହରକତ ଦେଖି ଭାରତ ମଧ୍ୟ ସଜାଗ ହୋଇଯାଇଛି । ସବୁ ସ୍ଥିତିରେ ମୁହଁତୋଡ ଜବାବ ଦେବାକୁ ତୟାର ରହିଛନ୍ତି ସେନା । ଆତଙ୍କୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଆଣ୍ଟିଡ୍ରୋନ ସିଷ୍ଟମର ସାହାରା ନିଆଯାଉଛି । ଇଣ୍ଟରନେଟର ଅପବ୍ୟବହାର କରି ଆତଙ୍କୀ ମାନେ ଡ୍ରୋନ ଉଡାଉଥିବା ଜାଣିବାକୁ ମିଳିଛି । ଏଥିରେ ରୋକ ଲଗାଇବାକୁ ମଧ୍ୟ ଭାରତୀୟ ସେନା ସଜାଗ ଅଛନ୍ତି ।

ସେପଟେ ଜାମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ପୋଲିସ ରାଜପୋରାର ହାଞ୍ଜିନି ଗ୍ରାମରେ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଜାରି ରଖିଥିଲା । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷୀ କର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ । ପରେ ସେମାନଙ୍କ ଉପରକୁ ମଧ୍ୟ ଯବାନ ଗୁଳିମାଡ କରିଥିଲେ । ଗାଁରେ ୩ ଜଣ ଆତଙ୍କବାଦୀ ଲୁଚିଥିବା କୁହାଯାଇଛି ।

Leave a Reply