ପ୍ରେମିକାର ଭାଇକୁ ରାସ୍ତାରୁ ହଟାଇବାକୁ ପ୍ରେମିକ ଦେଲା ସୁପାରି, ପାଟ୍ରୋଲିଂ ବେଳେ ଧରା ପଡ଼ିଗଲେ କିଲର

ବ୍ରହ୍ମପୁର: ଧରାପଡ଼ିଗଲା ଅନୈତିକ ସମ୍ପର୍କ । ପ୍ରେମିକାର ଭାଇକୁ ରାସ୍ତାରୁ ହଟାଇବାକୁ ପ୍ରେମିକ ଦେଲା ସୁପାରି । ହେଲେ ପ୍ରେମିକର ସୁପାରି କିଲିଂ ପ୍ଲାନ୍‌ ପଣ୍ଡ କରିଦେଲା ଦିଗପହଣ୍ଡି ପୋଲିସ । ୨ଟି ଖଣ୍ଡା ଓ ବୋମା ଧରି ବୁଲୁଥିବା ମୁଖ୍ୟ ଅଭିଯୁକ୍ତ ସମେତ ୫ ସୁପାରୀ କିଲରଙ୍କୁ ଗିରଫ କରିଛି ପୋଲିସ । ବ୍ରହ୍ମପୁର ଟାଉନ ଥାନା ଅଞ୍ଚଳରେ ମର୍ଡର ଯୋଜନା ଚରିତାର୍ଥ କରିବା ପୂର୍ବରୁ ଅଭିଯୁକ୍ତକୁ କାବୁ କରିଛି ପୋଲିସ ।

ସୂଚନା ଅନୁସାରେ, ଦିଗପହଣ୍ଡି ଅନ୍ତେଇ ଗାଁର ଉଦୟନାଥ ସେଠୀ ତାଙ୍କ ଶଳା ଭାଉଜ ପିଙ୍କି ସେଠୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ହେଲେ ଏକଥା ପିଙ୍କିଙ୍କ ଭାଇ ଯୋଗୀ ସେଠୀ ଜାଣିଦେବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଅଜୁ ସେଠୀକୁ ସୁପାରି ଦେଇଥିଲା ଉଦୟ । ୪ଲକ୍ଷରେ ଡିଲ୍ ଫାଇନାଲ ହୋଇଥିଲା । ଯୋଗୀଙ୍କୁ ମାରିବାକୁ ସୂରଜ ପରିଡ଼ା, ରୂପକ ସେଠୀ, ନରେଶ ସେଠୀ ଓ ନିରାକାର ବେହେରାଙ୍କ ସହ ଯୋଗାଯୋଗ କରିଥିଲା ଅଜୁ ।

ଡିଲ୍ ଅନୁସାରେ ସମସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ମିଳିଥାନ୍ତା । ୨୪ ତାରିଖରେ ମର୍ଡର ପ୍ଲଟ୍ ପ୍ରସ୍ତୁତ କରି ଗତକାଲି ଜାଗା ମୁଣ୍ଡରେ ପହଞ୍ଚିଥିଲେ ମୁଖ୍ୟ ଅଭିଯୁକ୍ତ ସହ ୫ଜଣ । ସାଙ୍ଗରେ ୨ଟି ଖଣ୍ଡା ଓ ବୋମା ନେଇ ଯାଇଥିଲେ । ହେଲେ ପୋଲିସ ପାଟ୍ରୋଲିଂ ବେଳେ ଧରା ପଡ଼ିଗଲେ ୫ ସୁପାରୀ କିଲର । ଫୁସ୍ ହେଲା ମର୍ଡର ପ୍ଲାନ୍ । ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଖଣ୍ଡା, ବୋମା, ୫ ହଳ ନୂଆ ଡ୍ରେସ, ୫ଟି ମୋବାଇଲ ଓ ୫ ହଜାର ୬ଶହ ଟଙ୍କା ଜବତ ହୋଇଛି ।