ଗଣିତ ଆରମ୍ଭ: ଉତ୍ତରପ୍ରଦେଶରେ ଆଗରେ ବିଜେପି, ପଞ୍ଜାବରେ ଆଗୁଆ ଆପ୍

ନୂଆଦିଲ୍ଲୀ: ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ଆରମ୍ଭ ହୋଇଛି । ଗଣତି ପରେ ୫ ରାଜ୍ୟରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିବାରେ ଲାଗିଛି । ଏକଜିଟ୍ ପୋଲରେ ଯାହା ଦେଖିବାକୁ ମିଳିଥିଲା ତାହା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଦେଖିବାକୁ ମିଳୁଛି । ଅର୍ଥାତ ଏକଜିଟ୍ ପୋଲ ଅନୁସାରେ ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି ଆଗୁଆ ରହିଥିବାବେଳେ ପଞ୍ଜାବରେ ଆଗୁଆ ରହିଛି ଆମ୍ ଆଦମୀ ପାର୍ଟି ।

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଉତ୍ତରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ୧୯୮ଟି ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଏହି ୧୯୮ଟି ଆସନ ମଧ୍ୟରୁ ବିଜେପି ୧୧୯ଟି ଆସନରେ ଆଗୁଆ ରହିଥିବାବେଳେ ସମାଜବାଦୀ ପାର୍ଟି ୭୩ଟି ଆସନରେ ଆଗୁଆ ରହିଛି । ସେହିପରି ବିଏସପି ୪ଟି ଓ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି । ଯଦି ପଞ୍ଜାବ କଥା କହିବା ତାହାଲେ ପଞ୍ଜାବରେ ୯୩ଟି ଆସନରେ ବର୍ତ୍ତମାନ ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସୁଛି । ୯୩ଟି ଆସନରୁ ଆପ୍ ୪୦ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୩୬ ଓ ବିଜେପି ୨ଟି ଆସନରେ ଆଗୁଆ ରହିଛି ।

ସେହିପରି ଗୋଆରେ ୨୯ଟି ଆସନରେ ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ୧୨ଟି ଆସନରେ ବିଜେପି ଆଗୁଆ ରହିଥିବାବେଳେ ୧୫ଟି ଆସନରେ କଂଗ୍ରେସ ଓ ୨ଟି ଆସନରେ ତୃଣମୂଳ କଂଗ୍ରେସ ଆଗୁଆ ରହିଛି । ଉତ୍ତରାଖଣ୍ଡରେ ମଧ୍ୟ ଆଗୁଆ ରହିଛି ବିଜେପି । ଉତ୍ତରଖଣ୍ଡରେ ୬୨ଟି ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ଆସିଥିବାବେଳେ ୩୧ଟି ଆସନରେ ବିଜେପି ଓ ୨୯ଟି ଆସନରେ କଂଗ୍ରେସ ଆଗୁଆ ରହିଛି । ଅନ୍ୟପକ୍ଷରେ ମଣିପୁର କଥା କହିବା ତାହାଲେ ମଣିପୁରରେ ୨୯ଟି ଆସନ ମଧ୍ୟରୁ ୧୪ଟି ଆସନରେ ବିଜେପି, ୬ଟି ଆସନରେ କଂଗ୍ରେସ, ୪ଟି ଆସନରେ ଏନପିଫ ଓ ଦୁଇଟି ଆସନରେ ଏନପିପି ଆଗୁଆ ରହିଛି ।