ପଶ୍ଚିମବଙ୍ଗ ଓ ଆସାମ ସମେତ ୫ ରାଜ୍ୟର ୪୭୫ ଆସନରେ ମତଦାନ ଆରମ୍ଭ

1 min read
5 States Assembly Elections Voting For 475 Seats Across Assam Bengal Tamilnadu Puducherry Kerala

ନୂଆଦିଲ୍ଲୀ: ଦେଶର ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶ ନିର୍ବାଚନ ଲାଗି ଆଜି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ଆଜି ତାମିଲନାଡ଼ୁର ସମସ୍ତ ୨୩୪ଟି ଆସନ ସହ କେରଳର ସମସ୍ତ ୧୪୦ ଆସନରେ ଭୋଟ୍ ଗ୍ରହଣ ହେଉଛି । ଆସାମରେ ତୃତୀୟ ତଥା ଶେଷ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ପଶ୍ଚିମବଙ୍ଗରେ ତୃତୀୟ ପର୍ଯାୟରେ ୪୧ଟି ଆସନରେ ଭୋଟ୍ ପଡ଼ୁଛି । କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ସମସ୍ତ ୩୦ଟି ଆସନରେ ଆରମ୍ଭ ହୋଇଛି ଭୋଟିଂ । ବିଧାନସଭା ବାଦ୍ ମଲ୍ଲପରମ ଓ କନ୍ୟାକୁମାରୀ ଲୋକସଭା ଆସନରେ ଉପନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ ଚାଲିଛି ।

Image

ତାମିଲନାଡ଼ୁ

ତାମିଲନାଡ଼ୁରେ କିଏ ଗଢ଼ିବ ସରକାର ? AIADMK ତୃତୀୟ ଥର ଜିତି ହ୍ୟାଟ୍ରିକ୍ କରିବ ନା ଏକ ଦଶନ୍ଧି ପରେ ପୁଣି କ୍ଷମତାକୁ ଫେରିବ ଡିଏମକେ । ୬.୨୮ କୋଟିରୁ ଅଧିକ ଭୋଟର୍ ୨୩୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ, ଉପମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ୍ ଓ ଡିଏମକେ ପ୍ରମୁଖ ଏମକେ ଷ୍ଟାଲିନଙ୍କ ସମେତ ଏଏମଏମକେ ମୁଖ୍ୟ ଟିଟିବି ଦିନାକରଣଙ୍କ ସହ କମଲ ହାସନ ଓ ରାଜ୍ୟ ବିଜେପି ମୁଖ୍ୟ ଏଲ୍ ମୁରୁଗନ ପ୍ରମୁଖ ଚେହେରା ଲଢ଼ୁଛନ୍ତି ।

ଏନଡିଏର ସହଯୋଗୀ ଭାବେ AIADMK ନିର୍ବାଚନ ଲଢ଼ୁଥିବା ବେଳେ ଏଥିରେ ବିଜେପି, ପିଏମକେ ଓ ଅନ୍ୟ ଆଞ୍ଚଳିକ ଦଳ ସାମିଲ୍ ଅଛନ୍ତି । ୟୁପିଏର ଅଂଶୀଦାର ଦଳ ଭାବେ ଡିଏମକେ ନିର୍ବାଚନ ଲଢ଼ୁଛି । କଂଗ୍ରେସ ଅନ୍ୟ ୧୧ଟି ଦଳ ନିର୍ବାଚନ ମୈଦାନରେ ଅଛି । କମଲ ହାସନଙ୍କ ଏମଏନଏମ ଓ ଦିନାକରଣଙ୍କ ଏଏମଏମକେ ଅନ୍ୟ ସହଯୋଗୀ ଦଳ ସହ ନିର୍ବାଚନ ଲଢ଼ୁଛି ।

କେରଳ

୧୯୮୦ ପରେ ସିପିଆଇ(ଏମ) ନେତୃତ୍ୱାଧୀନ ଲେଫ୍ଟ ଡେମୋକ୍ରେଟିକ୍ ଫ୍ରଣ୍ଟ ଓ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଫ୍ରଣ୍ଟ କେରଳରେ ସରକାର ଗଠନ କରୁଥିଲେ । କିନ୍ତୁ ଉଭୟ ଦଳକୁ କେବେ ଲଗାତାର ବିଜୟ ମିଳିନାହିଁ । ଚଳିତଥର ୟୁଡିଏଫ୍, ଏଲଡିଏଫ୍ ବିଜୟୀ ହେବ ନା କ୍ଷମତା ବଜାୟ ରଖିବେ ପିନରାଇ ବିଜୟନ । ରାଜ୍ୟର ୨.୭୪ କୋଟି ମତଦାତା ୧୪୦ ଆସନରେ ୯୫୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ଏଠାରେ ୟୁଡିଏଫ୍ ଓ ଏଲଡିଏଫ୍ ମଧ୍ୟରେ ଲଢ଼େଇ ହେଉଥିବା ବେଳେ ରାଜନୀତିକ ବିଶେଷଜ୍ଞଙ୍କ ମତରେ ବିଜେପି ତୃତୀୟ ବିକଳ୍ପ ଭାବେ ଉଭା ହୋଇପାରେ ।

ପଶ୍ଚିମବଙ୍ଗ

ମଙ୍ଗଳବାର ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ଲାଗି ମତଦାନ ଜାରି ରହିଛି । ଚଳିତ ପର୍ଯ୍ୟାୟରେ ଗ୍ରାମୀଣ ହାୱଡ଼ା, ସୁନ୍ଦରବନ, ଡାଏମଣ୍ଡ ହାର୍ବର ଓ ଦକ୍ଷିଣ ୨୪ ପ୍ରଗଣାର ବାରୁଇପୁର ଅଞ୍ଚଳ ଓ ହୁଗଳି ଜିଲ୍ଲାର କିଛି ଅଞ୍ଚଳରେ ଭୋଟ୍ ହେଉଛି । ମତଦାନ ହେଉଥିବା ଅଧିକାଂଶ ଆସନ ତୃଣମୂଳ କଂଗ୍ରେସର ଗଡ଼ ବୋଲି କୁହାଯାଉଛି । ପ୍ରାୟ ୭୮ ଲକ୍ଷ ୫୨ ହଜାର ୪୨୫ ଜଣ ମତାଦାତା ୩୧ ଆସନର ୨୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ।

Image

ଆସାମ

ଅନ୍ତିମ ପର୍ଯ୍ୟାୟରେ ଆସାମର ୪୦ ଆସନରେ ଭୋଟିଂ ଚାଲିଛି । ତୃତୀୟ ପର୍ଯ୍ୟାୟରେ ବରିଷ୍ଠ ମନ୍ତ୍ରୀ ହିମନ୍ତ ବିଶ୍ୱ ମରମା, ୫ କ୍ୟାବିନେଟ ମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ରଣଜୀତ କୁମାର ଦାସଙ୍କ ସହ ୩୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

ପୁଡୁଚେରୀ

ପୁଡୁଚେରୀର ବିଧାନସଭାର ସମସ୍ତ ୩୦ ଆସନରେ ଆଜି ମତଦାନ ଚାଲିଛି । ନିର୍ବାଚନ ପୂର୍ବରୁ ହିଁ ଭି. ନାରାୟଣସାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ବହୁମତ ହରାଇବା ପରେ ଭାଙ୍ଗି ଯାଇଥିଲା । କେନ୍ଦ୍ର ଶାସିତ ଏହି ପ୍ରଦେଶରେ ଏନଡିଏ ଓ ୟୁପିଏ ମଧ୍ୟରେ କଡ଼ା ମୁକାବିଲା ହେଉଛି ।

Leave a Reply