ଗରିବଙ୍କ ବଳ ୫ ଟଙ୍କିଆ ଆହାର, ମାଗଣା ରୋଗୀ ସେବା ସହ ସ୍ବଚ୍ଛ ପରିବେଶରେ ସ୍ବାଦିଷ୍ଟ ଭୋଜନ

କଟକ: ଆର୍ଥିକ ଅନାଟନ ମଧ୍ୟରେ ଦିନ କାଟୁଥିବା ଖଟିଖିଆ ମଣିଷଙ୍କ ପାଇଁ ରୋଗ ଏକ ଆତଙ୍କ । ହେଲେ ରାଜ୍ୟ ସରକାରଙ୍କ ନିଃଶୁଳ୍କ ଚିକିତ୍ସା ସେବା ସାଙ୍ଗକୁ ୫ ଟଙ୍କିଆ ଆହାର ଯୋଜନା ସେମାନଙ୍କୁ ବଳ ଯୋଗାଇଛି । ଏସସିବି ଓ କର୍କଟ ରୋଗ ପ୍ରତିଷ୍ଠାନ ପରିସରରେ ଖୋଲିଥିବା ଆହାର କେନ୍ଦ୍ର ଖାଦ୍ୟ ଚିନ୍ତା ଦୂର କରିବାରେ ସକ୍ଷମ ହୋଇଛି । ପ୍ରତିଦିନ ଏଠାରୁ ୩ ହଜାରରୁ ଉର୍ଦ୍ଧ ଲୋକ ଆହାର ପାଉଥିବା ବେଳେ ଏବେ ଲୋକଙ୍କ ଆବଶ୍ୟକତାକୁ ଦେଖି ଏହାର ସମ୍ପ୍ରସାରଣ ପାଇଁ ହୋଇଛି ଯୋଜନା।

ଗରିବଙ୍କୁ ମିଳିଛି ପେଟ ଓ ରୋଗ ସହ ଲଢିବାର ଶକ୍ତି । ଏହି ଶକ୍ତି ଯୋଗାଇ ଦେଇଛନ୍ତି ରାଜ୍ଯ ସରକାର । ମାଗଣା ଚିକିତ୍ସା ସେବା ସହ ୫ ଟଙ୍କାରେ ପେଟପୁରା ଖାଦ୍ଯ । ଖଟିଖିଆ ଲୋକଙ୍କ ପାଇଁ ସାଜିଛି ବଳ । କେଉଁ ରୋଗ କେତେବେଳେ କାହାକୁ ହେବ ସେ କଥା କହିବା ମୁସ୍କିଲ । ତେବେ ଗରିବଙ୍କ ପାଇଁ ଛୋଟ ହେଉବା ବଡ଼, ରୋଗ ହେଲେ ମାନସିକ ଶାରୀରିକ ଓ ଆର୍ଥିକସ୍ଥିତିକୁ ଦୋହଲାଇ ଦେଇଥାଏ । ତେବେ ରାଜ୍ୟ ସରକାରଙ୍କ ଯୋଗୁଁ ଆଉ ସେହି ଚିନ୍ତା ନାହିଁ । ମାଗଣା ରୋଗୀ ସେବା ସହ ସେମାନଙ୍କ ସମ୍ପର୍କୀୟ ମାନଙ୍କ କ୍ଷୁଧା ନିବାରଣ ପାଇଁ ୫ ଟଙ୍କିଆ ଆହାର ବ୍ୟବସ୍ଥା କରିଛନ୍ତି ରାଜ୍ଯ ସରକାର । ଏସସିବି ଓ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ଖୋଲିଥିବା ଆହାର କେନ୍ଦ୍ରରୁ ଦିନରାତି ମିଶାଇ ୩ ହଜାରରୁ ଉର୍ଦ୍ଧ୍ବ ଆହାର ପାଉଛନ୍ତି । କେନ୍ଦ୍ରରେ ନିୟୋଜିତ ମିଶନ ଶକ୍ତି ମାଆ ମାନେ ମଧ୍ୟ ଏଭଳି ପୁଣ୍ୟ କାର୍ଯ୍ୟରେ ସାମିଲ ହୋଇଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି ।

କଟକ ଏସସିବି ବଡ଼ ମେଡିକାଲ ରେଫେରରାଲ ହସ୍ପିଟାଲ ହୋଇଥିବାରୁ ପ୍ରତିଦିନ ଏଠାକୁ ଓଡିଶା ସମେତ ବାହାର ରାଜ୍ୟରୁ ହଜାର ହଜାର ରୋଗୀ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ 60 ପ୍ରତିଶତ ଆହାର ଉପରେ ନିର୍ଭର କରୁଛନ୍ତି । ସ୍ଵଚ୍ଛ ପରିବେଶରେ ପେଟପୁରା ସୁସ୍ୱାଦୁ ଖାଦ୍ଯ ମିଳୁଥିବାରୁ ସମସ୍ତେ ଖୁସ୍ । ଚାହିଦାକୁ ଦେଖି ଏସସିବି ଅଧିକାରୀଙ୍କ ଅନୁରୋଧକ୍ରମେ ଏହାକୁ ସାମ୍ପ୍ରସାରଣ ପାଇଁ ଯୋଜନା ହୋଇଛି । ୫ ଟଙ୍କିଆ ଆହାର ଯୋଗୁଁ ଏସସିବିକୁ ଆସୁଥିବା ରୋଗୀ ଓ ପରିବାର ଲୋକଙ୍କ ମୁହଁରେ ହସ ଆଣିଦେଇଛି । ଏଥିପାଇଁ ରାଜ୍ଯ ସରକାରଙ୍କୁ ପ୍ରଶଂସା କରିଛନ୍ତି ରୋଗୀ ଓ ତାଙ୍କ ପରିବାର ।