ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଓଡ଼ିଶା ଆସିବେ ୫ ମହାବଳ ବାଘ

1 min read

ଭୁବନେଶ୍ବର: ଓଡ଼ିଶାକୁ ଆସିବେ ୫ ମହାବଳ ବାଘ । ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୪ଟି ବାଘୁଣୀ ଓ ଗୋଟିଏ ବାଘ ଓଡ଼ିଶାକୁ ଆସିବେ । ପୂର୍ବ ସ୍ଥିରୀକୃତ ଯୋଜନା ଅନୁଯାୟୀ ଦେବ୍ରୀଗଡ଼ ଅଭୟାରଣ୍ୟରେ ୩ଟି ବାଘ ଛଡ଼ାଯିବାକୁ ଥିବା ବେଳେ ଶିମିଳିପାଳରେ ୨ଟି ବାଘ ଛଡ଼ାଯିବ । ଏଥିପାଇଁ ସମୟ ସୀମା ଧାର୍ଯ୍ୟ ହୋଇଛି । ଅଗଷ୍ଟ ଶେଷ ସୁଦ୍ଧା ଦେବ୍ରିଗଡ଼ରେ ୨ଟି ବାଘୁଣୀ ଓ ଗୋଟିଏ ବାଘ ପହଞ୍ଚିବାକୁ ଥିବା ବେଳେ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳରେ ୨ଟି ବାଘୁଣୀ ପହଞ୍ଚିବେ ।

ବନ୍ୟଜନ୍ତୁ ଅଦଳବଦଳ ଯୋଜନାରେ ହରିଣ, କୃଷ୍ଣସାର ମୃଗ, ସମ୍ବର ଭଳି ବନ୍ୟଜନ୍ତୁଙ୍କୁ ନନ୍ଦନକାନନ ଓ ସମ୍ଭଲପୁର ଚିଡ଼ିଆଖାନାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ନନ୍ଦନକାନନ ଚିଡ଼ିଆଖାନାରୁ ୬୦୦ ଚିତ୍ରା ହରିଣ ଢେଙ୍କାନାଳ, ସାତକୋଶିଆ ଏବଂ ମୟୂରଭଞ୍ଜର କୁଲଡ଼ିହା ଅଭୟାରଣ୍ୟରେ ଜୁଲାଇ ଶେଷ ସୁଦ୍ଧା ଛଡ଼ାଯିବ । ସେହିପରି ଜୁଲାଇ ୧୦ ତାରିଖରେ ୧୦ଟି କୃଷ୍ଣସାର ମୃଗ ବାଲୁଖଣ୍ଡ-କୋଣାର୍କ ବନ୍ୟଜନ୍ତୁ ଅଭୟାରଣ୍ୟରେ ଛଡ଼ାଯିବାକୁ ନିଷ୍ପତ୍ତି ହୋଇଛି ।

ତପ୍ତପାଣି ହରିଣ ପାର୍କରୁ ୪୦ଟି ଚିତ୍ରା ହରିଣ ଜୁଲାଇ ୨୦ରେ ଲଖାରୀ ଉପତ୍ୟକାରେ ଛଡ଼ାଯିବାକୁ ଥିବା ବେଳେ ୩୨ଟି ସମ୍ବର ଚନ୍ଦକା ଅଭୟାରଣ୍ୟରେ ଜୁଲାଇ ଶେଷ ସୁଦ୍ଧା ଛଡ଼ାଯିବ । ବନ୍ୟଜନ୍ତୁ ଅଦଳବଦଳ ଯୋଜନାରେ ସ୍ଥିରୀକୃତ ସମୟସୀମା ସୁଦ୍ଧା ଏହା ସାରିବାକୁ ସମସ୍ତ ଅଧିକାରୀମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟ ବନ ସଂରକ୍ଷକ ।