ଆଜି ବିରଳ ମହାଜାଗତିକ ଅବସ୍ଥାନ, ଅତି ନିକଟତର ହେବେ ୫ ଗ୍ରହ

ନୂଆଦିଲ୍ଲୀ: ମହାଜାଗତିକ ସ୍ତରରେ ଆଜି ପରିଲକ୍ଷିତ ହେବ ବିରଳ ଦୃଶ୍ୟ । ପାଞ୍ଚଟି ଗ୍ରହ ପରସ୍ପରର ଅତି ନିକଟତର ହେବା ସହ ଆର୍କ ଆକାର ଅର୍ଥାତ ବକ୍ର ରେଖାରେ କରିବେ ଅବସ୍ଥାନ । ଏହି ପାଞ୍ଚଟି ଗ୍ରହ ହେଲେ ବୃହସ୍ପତି, ବୁଧ, ଶୁକ୍ର, ୟୁରାନସ ଓ ମଙ୍ଗଳ । ସୂର୍ଯ୍ୟାସ୍ତ ପରେ ପରେ ପଶ୍ଚିମ ଦିଗରେ ଏହି ବିରଳ ଦୃଶ୍ୟ ଦେଖାଯିବ । ଗ୍ରେଟ ପ୍ଲାନେଟାରୀ ଆଲାଏନମେଣ୍ଟ କୁହାଯାଉଥିବା ଏହି ଅବସ୍ଥାନରେ ୫ରୁ ୬ଟି ଗ୍ରହ ସୂର୍ଯ୍ୟର ନିକଟତର ହେବା ସହ ବକ୍ର ରେଖାରେ ଅବସ୍ଥାନ କରିବେ । ଗତ ୨୦୨୨ ଜୁନରେ ସମଧରଣର ମହାଜାଗତିକ ଦୃଶ୍ୟ ପରିଲକ୍ଷିତ ହୋଇଥିଲା । ଏହି ବିରଳ ଅବସ୍ଥାନ ଖାଲି ଆଖିରେ ଦେଖାଯାଇପାରିବ । ବାଇନୋକୁଲାରରେ ଏହି ବିରଳ ଦୃଶ୍ୟ ଅତି ସ୍ପଷ୍ଟ ଭାବେ ଦେଖାଯାଇପାରିବ ।

ବୈଜ୍ଞାନିକ ତଥ୍ୟ ଅନୁସାରେ ପ୍ରାୟ ୪୬୦ କୋଟି ବର୍ଷ ତଳେ ସୌର ଜଗତର ସୃଷ୍ଟି ହୋଇଥିଲା । ଗ୍ୟାସ ଓ ଧୂଳିକଣାରୁ କାଳକ୍ରମେ ଗ୍ରହ ନକ୍ଷତ୍ରର ସୃଷ୍ଟି ହୋଇଥିଲା ଏବଂ ସୂର୍ଯ୍ୟକୁ କେନ୍ଦ୍ର କରି ଗ୍ରହମାନେ ଘୂରିବାକୁ ଲାଗିଥିଲେ । ଗତ କିଛି ଦିନ ଧରି ଏହି ୫ଟି ଗ୍ରହ ପରସ୍ପରର ପାଖାପାଖି ହୋଇଥିବା ବେଳେ ଆଜି ସେମାନେ ପରସ୍ପରର ନିକଟତର ହେବେ । ଆଜି ସନ୍ଧ୍ୟା ୫ଟା ୫୦ ମିନଟରେ ସୂର୍ଯ୍ୟାସ୍ତ ହେବ । ପରେ ୬ଟା ୩୫ରେ ବୃହସ୍ପତି ଓ ୬ଟା ୩୫ରେ ବୁଧ ଅସ୍ତ ଯିବେ । ସୂର୍ଯ୍ୟାସ୍ତ ପରେ ଶୁକ୍ର ଅତି ଉଜ୍ଜଳ ରହିବ ଏବଂ ରାତି ୮ଟା ୩୨ ଯାଏ ଦୃଶ୍ୟମାନ ହେବ । ରାତି ୮ଟା ୪୨ ମିନଟରେ ୟୁରାନସ ଅସ୍ତ ହେବ ।