ଅମ୍ଳଜାନ ଅଭାବରୁ ପୁଣି କରୋନା ସଂକ୍ରମିତଙ୍କ ମୃତ୍ୟୁ

ହରିଦ୍ୱାର: ସମଗ୍ର ଦେଶରେ ଅମ୍ଳଜାନ ଅଭାବ ଏବେ ମୁଖ୍ୟ ସମସ୍ୟା ପାଲଟିଛି । ଦେଶରେ ଅକ୍ସିଜେନ୍ ଅଭାବରୁ ଚାଲିଯାଉଛି ଅନେକ କରୋନା ରୋଗୀଙ୍କ ଜୀବନ । ତାମିଲନାଡ଼ୁର ଚେଙ୍ଗଲପଟ୍ଟୁ ଅଞ୍ଚଳରେ ଗତକାଲି ରାତିରେ ଅକ୍ସିଜେନ ଅଭାବରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଚେଙ୍ଗଲପଟ୍ଟୁରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ୫୦୦ କରୋନା ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିଲେ । ୪ ଘଣ୍ଟା ମଧ୍ୟରେ ଏହି ରୋଗୀମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଉତ୍ତରାଖଣ୍ଡର ହରିଦ୍ୱାରରେ ଅମ୍ଳଜାନ ଅଭାବରୁ ଆଜି ୫ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇଛି ।

ହରିଦ୍ୱାରର ଋରକି ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ରୋଗୀଙ୍କ ମୃତ୍ୟୁ ହୋଇଛି । ଋଡକିର ବିନୟ ବିଶାଲ ଡାକ୍ତରଖାନାରେ ସୋମବାର ଓ ମଙ୍ଗଳବାର ମଧ୍ୟରାତ୍ରିରେ ଅକ୍ସିଜେନ୍ ଶେଷ ହୋଇଥିବା ନେଇ କୁହାଯାଇଥିଲା । ଏହି ସମୟରେ, ଭେଣ୍ଟିଲେଟରରେ ଥିବା ଜଣେ ରୋଗୀ ଏବଂ ଡାକ୍ତରୀ ଅମ୍ଳଜାନରେ ନିଶ୍ୱାସ ନେଉଥିବା ଅନ୍ୟ ଚାରିଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ହରିଦ୍ୱାରର ଡିଏମ୍ ମାଜିଷ୍ଟ୍ରେଟ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆନ୍ଧ୍ରପ୍ରଦେଶର ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୪ ରୋଗୀଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି । ଗତ ସୋମବାର ବିଳମ୍ବିତ ରାତିରେ ଅକ୍ସିଜେନ ସମସ୍ୟା ଦେଖାଦେବାରୁ ରୋଗୀମାନେ ପ୍ରାଣ ହରାଇଥିଲେ । କର୍ଣ୍ଣାକଟର ହୁବଲିରେ ମଧ୍ୟ ୫ ଜଣ କରୋନା ରୋଗୀ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡ଼ିଛି ।

Leave a Reply