spot_img

Latest Posts

ବିଚିତ୍ରପୁରରୁ ୫ ଓରାଙ୍ଗଉଟାନ ଉଦ୍ଧାର, ଜୋରଦାର ତଦନ୍ତ

ନନ୍ଦିଘୋଷ ବ୍ୟୁରୋ :  ବାଲେଶ୍ୱର ଭୋଗରାଇ ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ତଦନ୍ତ ଜାରି ରହିଛି। ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହରେ ସ୍ପେଶାଲ ଟାସ୍କ ଫୋର୍ସ ଜୋରଦାର ତଦନ୍ତ ଚଳାଇଛି। ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ସିସିଟିଭି ଫୁଟେଜରେ ପ୍ରାୟ ୧୨ ମିନିଟ୍ ବ୍ୟବଧାନରେ ଏକ କଳା ଥାର୍ ସ୍ପଟ ନିକଟକୁ ଯାଆସ କରୁଥିବା ଦେଖାଯାଇଛି। ଏହି ଗାଡ଼ିରେ ମାଫିଆମାନେ ଓରାଙ୍ଗଉଟାନଗୁଡ଼ିକୁ ଆଣି ଜଙ୍ଗଲ ନିକଟରେ ଛାଡ଼ି ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବନ ବିଭାଗର ନିୟମିତ ପାଟ୍ରୋଲିଂ ଅଭାବରୁ ଏଭଳି ଚୋରାଚାଲାଣ ବଢ଼ୁଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଭାର ସ୍ପେଶାଲ ଟାସ୍କ ଫୋର୍ସ ନେବା ପରେ ୫ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସର୍ଜମିନ ଯାଞ୍ଚ ଆରମ୍ଭ କରିଛି। ଟୋଲଗେଟ୍ ସିସିଟିଭି, ହ୍ୟୁମାନ୍ ଇଣ୍ଟେଲିଜେନ୍ସ, ସମ୍ଭାବ୍ୟ ସ୍ମଗଲିଂ ରୁଟ୍ ଏବଂ ଏହା ସହ ଜଡ଼ିତ କ୍ରାଇମ୍ ସିଣ୍ଡିକେଟ୍ ସମ୍ପର୍କରେ ତଦନ୍ତକୁ ବ୍ୟାପକ କରିଛି ଏସ୍‌ଟିଏଫ୍।

ସେପଟେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୫ଟି ଓରାଙ୍ଗଉଟାନ ପହଞ୍ଚିବା ପରେ ସେମାନଙ୍କୁ ଏକ ମାସ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କ ଖାଦ୍ୟପେୟ, ସ୍ୱାସ୍ଥ୍ୟ ଓ ଆଚରଣ ଉପରେ ବନ ବିଭାଗ ଏବଂ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ସ୍ୱତନ୍ତ୍ର ତଦାରଖ ପାଇଁ ୩ଟି ସିଫ୍ଟରେ ଡାକ୍ତର ଓ କେୟାରଟେକରଙ୍କୁ ନିୟୋଜିତ କରାଯାଇଛି। କ୍ୱାରେଣ୍ଟାଇନ୍ ଗୃହରେ ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ୨୦୧୯ ମସିହା ମେ’ ୨୯ ତାରିଖରେ ନନ୍ଦନକାନନରେ ଥିବା ଓରାଙ୍ଗଉଟାନ ‘ବିନ୍ନି’ର ମୃତ୍ୟୁ ହୋଇଥିଲା। ଦୀର୍ଘ ୭ ବର୍ଷ ପରେ ପୁଣି ୫ଟି ବିରଳ ପ୍ରଜାତିର ଓରାଙ୍ଗଉଟାନ ନନ୍ଦନକାନନରେ ପହଞ୍ଚିବା ପରେ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

Latest Posts

Don't Miss