ଓଡ଼ିଶା ଲୋକସେବା ଅଧିକାର ଅଧିନିୟମରେ ସାମିଲ ହେବ ନଗର ଉନ୍ନୟନ ବିଭାଗର ଆଉ ୫ ସେବା

ଭୁବନେଶ୍ବର: ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ଆଉ ୫ଟି ସେବାକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ରେ ଅନ୍ତର୍ଭୁକ୍ତ କରିବେ । ଏହା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗର ୨୬ଟି ସେବା ଏହି ଅଧିନିୟମ ଅନ୍ତର୍ଭୁକ୍ତ ହୋଇଛି ।

ନୂତନ ଭାବେ ସାମିଲ ହେବାକୁ ଥିବା ଆଉ ୫ଟି ସେବା ହେଲା, ମାସେ ଭିତରେ ମିଳିବ ବିଲ୍ଡିଂ ପ୍ଲାନ୍‌ର ପରିବର୍ତ୍ତନ ଏବଂ ସଂଯୋଗ ବା ସଂଶୋଧନ ନିମନ୍ତେ ଅନୁମତି । ସପ୍ତାହକରେ ମିଳିବ ବିଲ୍ଡିଂ ପ୍ଲାନ୍‌ର ପୁନଃ ବୈଧିକରଣ ଅନୁମତି । ଏହାସହ ପ୍ଲିନଥ ଅନୁମୋଦନ ମଧ୍ୟ ପ୍ରଦାନ କରାଯିବ । ସେହିପରି ଗୋଟିଏ ଦିନରେ ଟ୍ରେଡ୍ ଲାଇସେନ୍ସ ପ୍ରୋଭିଜନାଲ ସାର୍ଟିଫିକେଟ୍ ଓ ତିନି ମାସ ମଧ୍ୟରେ ମିଳିବ ଟ୍ରେଡ୍ ଲାଇସେନ୍ସ ଫାଇନାଲ ସାର୍ଟିଫିକେଟ୍ । ଏହି ସବୁ ସେବାକୁ ଖୁବ୍ ଶୀଘ୍ର ବିଜ୍ଞାପିତ କରାଯାଇ ଜନସାଧାରଣଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଯୋଗାଇ ଦିଆଯିବ । ଏହି ୫ଟି ସେବାକୁ ମିଶାଇ ୩୧ଟି ବିଭାଗର ମୋଟ୍ ୪୨୨ଟି ସେବା ଏହି ଅଧିନିୟମ ଅନ୍ତର୍ଭୁକ୍ତ ହୋଇଛି ।