ଉପରମୁଣ୍ଡରେ ପ୍ରବଳ ବର୍ଷା : ଖୋଲିଲା ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍, ସେପଟେ ଫୁଲୁଛି ଜଳକା

ଭୁବନେଶ୍ୱର: ଖୋଲିଲା ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍‌ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିବାରୁ ୫ ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି । ବାମପାର୍ଶ୍ୱରୁ ୩ଟି ଗେଟ୍‌ ଖୋଲାଯାଇଥିବା ବେଳେ ଦକ୍ଷିଣ ପାର୍ଶ୍ୱରୁ ୨ଟି ଗେଟ୍‌ ଖୋଲିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୬୪ ହଜାର ୬୬ କ୍ୟୁସେକ ଜଳ । ସେହିପରି ପ୍ରତି ସେକେଣ୍ଡରେ ୫୧,ହଜାର ୩ ଶହ ୬୧ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ବର୍ତମାନ ଜଳସ୍ତର  ୬୨୮ ଦଶମିକ ୮୭ଫୁଟ ରହିଛି ।

ସେପଟେ ଲଘୁଚାପ ବର୍ଷାରେ ଫୁଲିବାରେ ଲାଗିଛି ଜଳକା ନଈ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀ ନିକଟରେ ଜଳକା ନଈର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନୀଠାରେ ବିପଦ ସଙ୍କେତ ୫ ଦଶମିକ ୫୦ ମିଟର ଥିବା ବେଳେ ସକାଳ ୯ଟା ସୁଦ୍ଧା ୫ ଦଶମିକ ୮୪ ମିଟର ଜଳ ପ୍ରବାହିତ ହେଉଛି । ଜଳସ୍ତର ନକମିଲେ ବସ୍ତା ବ୍ଳକର ୧୦ଟି ପଞ୍ଚାୟତ ଓ ସଦର ବ୍ଳକର ୨ଟି ପଞ୍ଚାୟତରେ ବନ୍ୟା ଆଶଙ୍କା ରହିଛି । ନଈର ଉପରମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୂଳିଆପଦା, ଚିତ୍ରଡା ଅଞ୍ଚଳରେ ବର୍ଷା ଲାଗି ରହିବା ଫଳରେ ଜଳକା ନଈର ଜଳସ୍ତର ବଢିବାରେ ଲାଗିଛି ।

Leave a Reply