ଚାମ୍ପିୟନ୍ସ ଟ୍ରଫି ବିଜୟରେ ଗମ୍ଭୀରଙ୍କ ବଡ଼ ଭୂମିକା: ୫ଟି ରଣନୀତି ପ୍ରତିପକ୍ଷଙ୍କୁ କରିଦେଲା ଶକ୍ତିହୀନ

1 min read

ଦୁବାଇ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଶେଷରେ ଟିମ୍ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରି ୨୦୨୫କୁ ନିଜ ନାମରେ କରି କୋଟି କୋଟି ଭାରତୀୟ କ୍ରିକେଟପ୍ରେମୀଙ୍କ ସ୍ବପ୍ନକୁ ସାକାର କରିଛି । ତେବେ ଭାରତର ଏହି ସଫଳତା ପଛରେ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଏକ ବଡ଼ ଭୂମିକା ରହିଛି । ଗମ୍ଭୀରଙ୍କ ୫ଟି ରଣନୀତି ପ୍ରତିପକ୍ଷ ଟିମକୁ ମାତ୍ ଦେବାରେ ସହାୟକ ହୋଇଥିଲା । ଗମ୍ଭୀରଙ୍କ ଏହି ଚାଲ ଭାରତକୁ ବିଜୟୀ କରାଇଥିବା ବେଳେ ପ୍ରତିପକ୍ଷ ଟିମକୁ ପରାଜୟର ଦ୍ବାର ଦେଖାଇଥିଲା । ଗମ୍ଭୀରଙ୍କ ଏହି ୫ଟି ବଡ଼ ନିଷ୍ପତ୍ତି କାରଣରୁ ଭାରତ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇପାରିଥିଲା ।

୧- ସାଧାରଣ ଭାବେ ଦିନିକିଆରେ ଅକ୍ଷର ପଟେଲ ନିମ୍ନକ୍ରମରେ ବ୍ୟାଟିଂ କରିଥାନ୍ତି । ମାତ୍ର ଏହି ଟୁର୍ଣ୍ଣାମେଣ୍ଟରେ ଅକ୍ଷର ୫ମ ସ୍ଥାନରେ ବ୍ୟାଟିଂ କରିଥିଲେ । ବହୁ ଆଲୋଚନା ପରେ ଗମ୍ଭୀର ଏହି ମାଷ୍ଟରଷ୍ଟ୍ରୋକ ଖେଳିଥିଲେ । ଏହାଫଳରେ ଦଳର ବ୍ୟାଟିଂରେ ସନ୍ତୁଳନ ଆସିଥିଲା । ଅକ୍ଷର ମଧ୍ୟ ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ ।

୨- ପୂର୍ବରୁ କେଏଲ ରାହୁଲ ୫ ନମ୍ବର ସ୍ଥାନରେ ଆସୁଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟରେ ରାହୁଲ ଫିନିସରର ଭୂମିକା ନିଭାଇଥିଲେ । ଏହି ନିଷ୍ପତ୍ତିକୁ ନେଇ ବବାଲ ମଚିଥିଲା, ମାତ୍ର ତାହା ଦଳକୁ ଫାଇଦା ଦେଇଥିଲା । ଗମ୍ଭୀରଙ୍କ ଏହି ନିଷ୍ପତ୍ତିକୁ ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ଗ୍ରହଣ କରିଥିଲେ । ପ୍ରଥମ ମ୍ୟାଚରେ ରାହୁଲ ୪୧ ରନ, ସେମିରେ ୪୨ ରନ, ଫାଇନାଲରେ ୩୪ ରନ୍ ସଂଗ୍ରହ କରିଥିଲେ ।

୩- ଚାମ୍ପିୟନ୍ସ ଟ୍ରଫିର ଠିକ ପୂର୍ବରୁ ଯଶପ୍ରୀତ ବୁମ୍ରା ଆହତ ହୋଇ ବାଦ୍ ପଡ଼ିଥିଲେ । ଏହାପରେ ଗମ୍ଭୀର ହର୍ଷିତ ରାଣାଙ୍କୁ ସ୍କ୍ବାଡରେ ସାମିଲ କରିଥିଲେ । ଏହାକୁ ଏକ୍ସପର୍ଟସ ପ୍ରଶ୍ନ ଉଠାଇଥିଲେ । ଏପରି ସ୍ଥିତିରେ ମହମ୍ମଦ ସିରାଜଙ୍କ ସ୍ଥାନ ଦେବାକୁ ଅନେକ ମତ ଦେଇଥିଲେ । ତେବେ ହର୍ଷିତ ଖେଳିଥିବା ୨ଟି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ।

୪- ସାଧାରଣ ଭାବେ ଦିନିକିଆରେ କୌଣସି ଟିମ୍ ୨ ସ୍ପିନରଙ୍କୁ ଖେଳାଇଥାଏ । ପିଚ ଅନୁସାରେ ୩ ଜଣ ସ୍ପିନରଙ୍କୁ ମଧ୍ୟ ସାମିଲ କରାଯାଇଥାଏ । ମାତ୍ର ପିଚ ଓ କଣ୍ଡିସନକୁ ଦେଖି ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ହାଫରେ ଗମ୍ଭୀର ନିଜର ୫ରୁ ୪ ଜଣ ସ୍ପିନରଙ୍କୁ ଖେଳାଇଥିଲେ, ଯାହାର ଫାଇଦା ଦଳ ପାଇଥିଲା । ସବୁ ସ୍ପିନର ମ୍ୟାଚ ଓ୍ବିନର ହୋଇଥିଲେ । ଭାରତୀୟ ସ୍ପିନରଙ୍କୁ ଖେଳିବା ପ୍ରତିପକ୍ଷଙ୍କ ପାଇଁ ମୁସ୍କିଲ ହୋଇପଡ଼ିଥିଲା ।

୫- ଚାମ୍ପିୟନ୍ସ ଟ୍ରଫି ସ୍କ୍ବାଡରେ ପ୍ରଥମେ ୪ ସ୍ପିନରଙ୍କୁ ସାମିଲ କରାଯାଇଥିଲା । ମାତ୍ର ଗମ୍ଭୀର ଶେଷ ସମୟରେ ଯଶସ୍ବୀ ଜୟସ୍ବାଲଙ୍କ ବଦଳରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଏଣ୍ଟ୍ରି କରାଇଥିଲେ । ସମସ୍ତେ ଗମ୍ଭୀରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ମାତ୍ର ଗ୍ରୁପ ଷ୍ଟେଜରେ ନ୍ୟୁଜିଲାଣ୍ଡ, ତା’ପରେ ସେମିଫାଇନାଲ ଓ ଫାଇନାଲରେ ବରୁଣ ଏକ୍ସ ଫ୍ୟାକ୍ଟର ପ୍ରମାଣିତ ହୋଇଥିଲେ । ବରୁଣଙ୍କ ବୋଲିଂକୁ ପଢ଼ିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ମୁସ୍କିଲ ହୋଇପଡ଼ିଥିଲା । କେବଳ ୩ଟି ମ୍ୟାଚରେ ସେ ୯ଟି ଓ୍ବିକେଟ ନେଇ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସର୍ବାଧିକ ଓ୍ବିକେଟ ହାସଲକାରୀ ହୋଇପାରିଥିଲେ ।