ଧାମନଗର ବ୍ୟାଟେଲ୍: ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ପୋଷ୍ଟାଲ ବାଲାଟ୍, ୨ ଦିନ ମଦବିକ୍ରି ବନ୍ଦ
1 min readଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ମଇଦାନରେ ଅଛନ୍ତି ୫ ଜଣ ପ୍ରାର୍ଥୀ । ୬ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ୫ ଜଣଙ୍କ ନାମାଙ୍କନ କାଏମ ରହିଛି । ୧୦୭ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ ଗ୍ରହଣ କରାଯିବ । ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ୨୦ଟି ଟିମ୍ ଘରକୁ ଯାଇ ପୋଷ୍ଟାଲ ବାଲାଟ ସଂଗ୍ରହ କରିବେ ।
୧୨୦୫ ଜଣ ପୋଷ୍ଟାଲ ବାଲାଟ ପାଇଁ ଆବେଦନ କରିଛନ୍ତି । ୧୩୪ ବୁଥର ନାମ ପରିବର୍ତ୍ତନ କରାଯାଇଥିବା କହିଛନ୍ତି ସୁଶୀଲ ଲୋହାନୀ । ଦୃଷ୍ଟିହୀନଙ୍କ ପାଇଁ ବ୍ରେଲ ବାଲାଟର ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ପାଇଁ ୧୭ ପ୍ଲାଟୁନ ପୋଲିସ ଫୋର୍ସ ନୁତୟନ ହେବେ ।
୨ଟି ଲେଖାଏଁ ସିଆରପିଏଫ ଓ ବିଏସଏଫ୍ ଟିମ୍ ନିୟୋଜିତ ହେବେ । ଉପନିର୍ବାଚନରେ ପ୍ରତି ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଖର୍ଚ୍ଚ କରିପାରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।
ମୋଟ ୨ ଲକ୍ଷ ୩୮ ହଜାର ୪୧୭ ଭୋଟର ଧାମନଗରରେ ଉପନିର୍ବାଚନରେ ମତଦାନ କରିବେ । ଏଥିପାଇଁ ୨୫୨ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ । ମତଦାନ ଦିନ ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର । ସେହିପରି ଭୋଟ ଗଣତି ଦିନ ମଧ୍ୟ ମଦବିକ୍ରିରେ କଟକଣା ଲାଗୁ ହୋଇଛି । ସେହିପରି ଭୋଟରଙ୍କୁ ସବୈତନିକ ଛୁଟି ମିଳିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।
ଆସନ୍ତା ନଭେମ୍ବର ୩ରେ ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ। ନିର୍ବାଚନ କମିଶନଙ୍କ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ଠାରୁ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ପୋଷ୍ଟର ଓ ବ୍ୟାନର ଲଗାଇବାରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ ୬୨୪ଟି ମାମଲା ରୁଜୁ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୧୮୭ଟି ମାରଣାସ୍ତ୍ର ଓ ବନ୍ଧୁକ ଡିପୋଜିଟ ନିଆଯାଇଛି। ୧୧୬୭ଜଣ ଦାଗୀଙ୍କୁ CRPC ଆଇନ ଅନୁଯାୟୀ ଅଟକ ରଖାଯାଇଛି ବୋଲି ସେ କହିଛନ୍ତି ।