ଅନୁରାଗ ଠାକୁରଙ୍କ ନିକଟରେ ୫ ଦାବି ରଖିଲେ କୁସ୍ତିଯୋଦ୍ଧା

1 min read

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ନିକଟରେ ୫ଟି ଦାବି ରଖିଛନ୍ତି କୁସ୍ତିଯୋଦ୍ଧା । ସେହି ଦାବିଗୁଡିକ ହେଲା ଜଣେ ମହିଳା ହୁଅନ୍ତୁ ରେସଲର ଫେଡେରେସନ ସଭାପତି । ବର୍ତ୍ତମାନର ସଭାପତି ବ୍ରିଜ ଭୂଷଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ ସଂଘରେ ସାମିଲ କରାନ ଯାଉ ।

ରେସଲର ସଂଘ ଲାଗି ମୁକ୍ତ ଓ ଅବାଧ ନିର୍ବାଚନ ହେଉ । ଗତ ଏପ୍ରିଲ ୨୮ରେ  ଯନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନକୁ ନେଇ ରେସଲରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର କରାଯାଉ । ଏହା ସହ ରେସଲର ଫେଡେରେସନ ସଭାପତି ବ୍ରିଜ ଭୂଷଣଙ୍କୁ ଗିରଫ କରାଯାଉ । ଆଜି କେନ୍ଦ୍ର କ୍ରୀଡ଼଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ରେସଲରମାନଙ୍କ ହୋଇଛି ଆଲୋଚନା ।

ଆନ୍ଦୋଳନରେ କୁସ୍ତିଯୋଦ୍ଧାଙ୍କ ନେତୃତ୍ବ ନେଇଥିବା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଚାଷୀ ନେତା ରାକେଶ ଟିକାଏତ ଆଜି ଅନୁରାଗଙ୍କ ସହ ଆଲୋଚନା କରିଛନ୍ତି । ରେସଲରମାନଙ୍କ ବିଭିନ୍ନ ଦାବି ପ୍ରସଙ୍ଗରେ ଆଲୋଚନା କରିବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତ ବୋଲି କହିଛନ୍ତି ଅନୁରାଗ । ଗତ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ରେସଲରମାନେ ଆଲୋଚନା କରିଥିଲେ ।

ଏହି ସାକ୍ଷାତ ପରେ ପୁନିଆ କହିଥିଲେ- ରେସଲର ସଂଘ ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନର ଅନ୍ତ ଘଟିନାହିଁ । ବ୍ରିଜ ଭୂଷଣଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି ରହିବ । କେନ୍ଦ୍ରମନ୍ତ୍ରୀ ଶାହଙ୍କ ସହ ଆଲୋଚନା କରିଥିଲେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ସଙ୍ଗୀତ ଫୋଗଟ ପ୍ରମୁଖ । ସେପଟେ ବିକେୟୁ ନେତା ରାକେଶ ଟିକାଏତ କହିଥିଲେ- ରେସଲରମାନଙ୍କ ଆନ୍ଦୋଳନକୁ ବିକେୟୁର ସମର୍ଥନ ଜାରି ରହିବ । ଗତ ଶୁକ୍ରବାର କୁରୁକ୍ଷେତ୍ରରେ ଚାଷୀଙ୍କ ମହାପଞ୍ଚାୟତ ହୋଇଥିଲା ଏବଂ ବ୍ରିଜ ଭୂଷଣ ଇସ୍ତଫା ଦିଅନ୍ତୁ ବୋଲି ଦାବି କରାଯାଇଥିଲା ।