୫ରୁ ୧୨ ବର୍ଷ ବୟସ୍କ ପିଲାଙ୍କୁ ମିଳିବ କୋଭିଡ ଟିକା, ଜରୁରୀ ବ୍ୟବହାର ଲାଗି ପରାମର୍ଶ

1 min read

ନୂଆଦିଲ୍ଲୀ: ୫ରୁ ୧୨ ବର୍ଷ ବୟସ୍କ ପିଲାଙ୍କୁ ମିଳିବ କୋଭିଡ ଟିକା । ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ କୋର୍ବେଭାକ୍ସ ଟିକା ଲାଗି ସୁପାରିସ କରିଛି ବିଷୟଗତ ବିଶେଷଜ୍ଞ କମିଟି । ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇଙ୍କୁ ଏହି ସୁପାରିସ କରିଛି ଏସଇସି । ଜରୁରୀ ବ୍ୟବହାର ଲାଗି କୋର୍ବେଭାକ୍ସ ଟିକାକୁ କମିଟି ସୁପାରିସ କରିଛି । ସ୍କୁଲ ଖୋଲିଥିବାରୁ ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି କମିଟି । ବର୍ତ୍ତମାନ ୧୨ରୁ ୧୪ ବର୍ଷ ବୟସର ପିଲାଙ୍କୁ ଦିଆଯାଉଛି କୋର୍ବେଭାକ୍ସ ଟିକା । ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ଲାଗି ଗତ ଜାନୁଆରୀ ୩ରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୧୬ରୁ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେପଟେ ୨ରୁ ୧୨ ବର୍ଷ ପିଲାଙ୍କ ନିମନ୍ତେ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅନୁମତି ଦେବା ପ୍ରସଙ୍ଗ କମିଟିର ବିଚାରାଧୀନ ରହିଛି । ଗତ ବର୍ଷ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ କୋଭାକ୍ସିନ ବ୍ୟବହାର ସମ୍ପର୍କିତ ପରୀକ୍ଷଣ ତଥ୍ୟ ଭାରତ ବାୟୋଟେକ, ବିଶେଷଜ୍ଞ କମିଟି ନିକଟରେ ରଖିଥିଲା ।