କ୍ୟାବିନେଟ ମୋହର, ମିଶନ ଶକ୍ତିରେ ଖର୍ଚ୍ଚ ହେବ ୫ ହଜାର କୋଟି

ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କ ପାଇଁ ଖୁସି ଖବର । ଏବେ ପ୍ରତି ପଞ୍ଚାୟତରେ ଓ ସହରାଞ୍ଚଳର ପ୍ରତ୍ୟେକ ଓ୍ୱାର୍ଡରେ ହେବ ମିଶନ ଶକ୍ତି ଭବନ । ଆସନ୍ତା ୫ ବର୍ଷରେ ମିଶନ ଶକ୍ତିରେ ଖର୍ଚ୍ଚ ହେବ ୪ ହଜାର ୯୭୩ କୋଟି । ଏନେଇ ଗତକାଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।

ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କ୍ୟାବିନେଟ ବୈଠକରେ ୩୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଥିଲା । ତେବେ ଗତକାଲି ନିଆଯାଇଥିବା ନିଷ୍ପତ୍ତି ମଧ୍ୟରୁ ରାଜ୍ୟ ସରକାର ’ମିଶନ ଶକ୍ତି’ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୫ ବର୍ଷ ପାଇଁ ମିଶନ ଶକ୍ତିରେ ଖର୍ଚ୍ଚ ହେବ ୪ ହଜାର ୯୭୩ କୋଟି । ଏଥିରେ ପ୍ରତ୍ୟେକ ପଞ୍ଚାୟତ ଓ ସହରାଞ୍ଚଳର ପ୍ରତ୍ୟେକ ଓ୍ୱାର୍ଡରେ ’ମିଶନ ଶକ୍ତି’ ଭବନ ନିର୍ମାଣ କରାଯିବ । ଏହା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିଭିନ୍ନ ସାମଗ୍ରୀ ବିକିବାକୁ ୫୦୦ଟି ମିଶନ ଶକ୍ତି ବଜାର ସ୍ଥାପନ ହେବ ।

କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଆଗାମୀ ୫ ବର୍ଷରେ ମିଶନ ଶକ୍ତି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା କରାଯିବ । ଏସଏଚଜିଙ୍କୁ ୧୨ ଶହ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ବି ରହିବ । ପ୍ରାୟ ୩୫ରୁ ୪୦ ଲକ୍ଷ ମହିଳା ଏସଏଚଜି ସଦସ୍ୟାଙ୍କୁ ଜୀବିକା ନିର୍ବାହ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ତାଲିମ ଦିଆଯିବ । ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ତଥା ମହାସଂଘକୁ ୬ ହଜାର ୬୦୦ କୋଟିରୁ ଅଧିକ ବ୍ୟବସାୟ ଯୋଗାଇ ଦିଆଯିବ ବୋଲି ଗତକାଲି ହୋଇଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ସଙ୍ଗଠିତ ଓ ମଜଭୁତ କରିବା ଉଦ୍ଦେଶ୍ୟରେ ୨୦୦୧ରେ ମିଶନ ଶକ୍ତି ଯୋଜନାର ଆରମ୍ଭ ହୋଇଥିଲା । ଏବେ ଏହି ଯୋଜନା ଏକ ବଡ଼ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି । ୨୦ ବର୍ଷରେ ମିଶନ ଶକ୍ତିରେ ୭୦ ଲକ୍ଷ ମହିଳାଙ୍କୁ ୬.୦୨ ଲକ୍ଷରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରେ ସଙ୍ଗଠିତ କରିବାରେ ସକ୍ଷମ ହୋଇଛି । ଗତବର୍ଷ ତୃଣମୂଳ ସ୍ତରରେ ଲକ୍ଷ ଲକ୍ଷ ମହିଳାଙ୍କ ଯୋଗଦାନକୁ ତ୍ୱରାନ୍ୱିତ କରିବା ତଥା ସ୍ଥାୟୀ ଜୀବିକା ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ମିଶନନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଭାବେ ଘୋଷଣା କରିଛନ୍ତି । ଏହି ଯୁଗାନ୍ତକାରୀ ପଦକ୍ଷେପ ଦ୍ୱାରା ଆଗାମୀ ୫ ବର୍ଷରେ ସରକାରୀ ବିଭାଗମାନଙ୍କ ସହିତ ଦ୍ରବ୍ୟ ଓ ସେବା ଯୋଗାଣ ମାଧ୍ୟମରେ ୫ ହଜାର କୋଟି ଟଙ୍କାର ବ୍ୟବସାୟ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପାଇପାରିବେ ।