କ୍ଯାଲସିୟମ ୫୦୦ ମିଲିଗ୍ରାମ ଓ ଭିଟାମିନ ଡି-୩ ଖାଉଥିଲେ ସାବଧାନ !
1 min readନନ୍ଦିଘୋଷ ବ୍ୟୁରୋ : କ୍ଯାଲସିୟମ ୫୦୦ ମିଲିଗ୍ରାମ ଓ ଭିଟାମିନ ଡି-୩ ଖାଉଛନ୍ତି କି । ତେବେ ହୁଅନ୍ତୁ ସାବଧାନ ! ଲାଇଫ ମାକ୍ସ କ୍ଯାନସର ଲାବରେଟୋରିଜ ଦ୍ବାରା ପ୍ରସ୍ତୁତ ଏହି ଟାବଲେଟ ଗୁଣବତ୍ତା ପରୀକ୍ଷାରେ ଫେଲ ହୋଇଛି । କେବଳ ଏହି ଦୁଇଟି ଟାବଲେଟ ନୁହେଁ, ୪୯ଟି ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛନ୍ତି ବୋଲି କହିଛି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ବା ସିଡିଏସସିଓ । ସଂଗୃହୀତ ୩ ହଜାରରୁ ଅଧିକ ନମୁନା ଔଷଧର ପରୀକ୍ଷା ପରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଏପରିକି ଜାଲ୍ କମ୍ପାନୀ ଦ୍ବାରା ପ୍ରସ୍ତୁତ ୪ଟି ଔଷଧକୁ ବିପଜ୍ଜନକ ବୋଲି କୁହାଯାଇଛି । ସର୍ବସାଧାରଣ ନିରାପତ୍ତା ଲାଗି ସିଡିଏସସିଓ ପକ୍ଷରୁ ଏହି ଔଷଧଗୁଡ଼ିକର ବ୍ଯାଚ ଓ୍ବାରୀ ପ୍ରତ୍ଯାହାର କାର୍ଯ୍ୟ କରାଯାଇଛି । ସିଡିଏସସିଓ ମୁଖ୍ଯ ରାଜୀବ ସିଂ ରଘୁବଂଶ କହିଛନ୍ତି- ପରୀକ୍ଷା କରାଯାଇଥିବା ଔଷଧଗୁଡ଼ିକର ଏକ ପ୍ରତିଶତ ଔଷଧ ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛନ୍ତି । ଅନ୍ଯ ଯେଉଁ ଔଷଧ ଗୁଣବତ୍ତା ହରାଇଛନ୍ତି ସେଗୁଡିକ ହେଲା ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସର ମେଟ୍ରୋନିଡାଜୋଲ ଟାବଲେଟ, ରେନବୋ ଲାଇଫ ସାଇନ୍ସର ଡୋମ୍ପେରିଡୋନ ଟାବଲେଟ, ପୁସ୍କର ଫାର୍ମାର ଅକ୍ସିଟୋସିନ ଇଞ୍ଜେକସନ । ସେହିପରି ସୁଇସ ବାୟୋଟେକ ପାରେଣ୍ଟାଲସର ମେଟଫର୍ମିନ, ଲାଇଫ ମାକ୍ସ କ୍ଯାନସର ଲାବରେଟୋରିଜର କ୍ଯାଲସିୟମ ୫୦୦, ଭିଟାମିନ ଡି-୩-୨୫୦ ଆଇୟୁ ଟାବଲେଟ, ଆଲକେମ ଲ୍ଯାବସର ପାନ-୪୦, କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ସର ପାରାସିଟାମଲ ଟାବଲେଟ ଗୁଣବତ୍ତା ରକ୍ଷା କରିବାରେ ବିଫଳ ହୋଇଥିବା ଦର୍ଶାଯାଇଛି । ଗଜ ରୋଲ୍ ନନ ଷ୍ଟରାଇଲ ରୋଲର ବ୍ଯାଣ୍ଡେଜ, ଡାଇକ୍ଲୋଫେନାକ ସୋଡିୟମ ଟାବଲେଟ ବି ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଛି ।