ସୁସ୍ଥ ହେଲେ ପ୍ରଥମ କରି ପ୍ଳାଜ୍‌ମା ନେଇଥିବା କରୋନା ରୋଗୀ

କଟକ: କରୋନା ମହାମାରୀକୁ ମାତ ଦେବାକୁ ଆଶାର କିରଣ ସାଜିଛି ପ୍ଲାଜମା ଥେରାପି । ମାତ୍ର ୧୦ ଦିନରେ ସରକାରଙ୍କୁ ମିଳିଛି ସଫଳତା  । ପ୍ଲାଜମା ପ୍ରୟୋଗରେ କଟକରେ ପ୍ରଥମେ ଜଣେ ୪୮ ବର୍ଷୀୟା ମହିଳା ସୁସ୍ଥ ହୋଇ ଅଶ୍ୱିନୀ କୋଭିଡ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ମୃତ୍ୟୁ ମୁଖରୁ ବର୍ତ୍ତି ପୁନର୍ଜନ୍ମ ପାଇଥିବା ମହିଳା ଜଣଙ୍କ ଡାକ୍ତର ଓ ପ୍ଲାଜମା ଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେହି ମହିଳା ।

ସେହିପରି ରାଜ୍ୟ ସରକାର ପ୍ଲାଜମା ଥେରାପି ପକ୍ରିୟା ଆରମ୍ଭ କରିଥିବାରୁ କରୋନା ଗୁରୁତର ରୋଗୀଙ୍କୁ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ଡାକ୍ତର । ଅନ୍ୟପଟେ ରାଜ୍ୟରେ ଅନ୍ୟ ୧୩ ଜଣ ରୋଗୀ ପ୍ଲାଜମା ନେବା ପରେ ଦ୍ରୁତ ସୁସ୍ଥ ହେଉଥିବା ଜଣାପଡିଛି  ।

ବହୁ ଆଶା ନେଇ ଗତ ୧୫ ତାରିଖରେ ଓଡିଶାରେ ଆରମ୍ଭ ହୋଇଥିଲା ପ୍ଲାଜମା ଥେରାପି । ଆଉ ମାତ୍ର ୧୦ ଦିନ ଭିତରେ ମିଳିଛି ଖୁସି ଖବର । ପ୍ଲାଜମା ନେଇଥିବା ରାଜ୍ୟର ପ୍ରଥମ ରୋଗୀ ସୁସ୍ଥ ହୋଇଛନ୍ତି । କଟକ ପୁରୁଣା ରାଉସାପାଟଣା ଅଞ୍ଚଳର ୪୮ ବର୍ଷୀୟା ମହିଳା ମମତା ସେନ୍ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  ।

ମମତାଙ୍କ ସହିତ ତାଙ୍କ ୩ ପୁଅ ବି କରୋନା ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ଆଠଗଡ କୋଭିଡ କେୟାର ପରେ ଗୁରୁତର ଅବସ୍ଥାରେ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ ମମତା । ଏପରିକି ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରହିବାକୁ ପଡିଥିଲା  । ଗତ ୧୫ ତାରିଖ ରାତିରେ ହିଁ ମମତାଙ୍କ ଶରୀରରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ ହୋଇଥିଲା । ପ୍ଲାଜମା ପାଇବା ପରେ ମମତା ଆଜି କରୋନାକୁ ହରାଇ ନୂଆ ଜୀବନ ପାଇଛନ୍ତି । ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି  ।

ରାଜ୍ୟରେ ବୃଦ୍ଧି ପାଉଥିବା ସଂକ୍ରମଣ ଓ ମୃତ୍ୟୁ ହାରକୁ ଦୃଷ୍ଟି ରଖି ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଏସ ସି ବିରେ ଆରମ୍ଭ କରିଥିଲେ ପ୍ଲାଜମା ଚିକିତ୍ସା । ଏହି ବ୍ୟାଙ୍କରୁ ସଂଗୃହୀତ ପ୍ଲାଜମା ୧୩ ଜଣ ରୋଗୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ସମସ୍ତେ ଏବେ ଦ୍ରୁତ ସୁସ୍ଥତା ଆଡକୁ ମୁହାଁଇଛନ୍ତି  । ବେଶ ଗୁରୁତର ସ୍ଥିତିରେ ଥିବା ମମତାଙ୍କୁ ପ୍ଲାଜମା ପ୍ରଦାନ ପରେ ଖୁବଶୀଘ୍ର ସୁସ୍ଥ ଅନୁଭବ କରିଥିଲେ । ଆଡମିଟ ହେବାର ୧୦ ଦିନ ଭିତରେ ସଂପୂର୍ଣ୍ଣ ସୁସ୍ଥ ହେବା ଚିକିତ୍ସା କ୍ଷେତ୍ରରେ ଏକ ଶୁଭଙ୍କର ଖବର ।

Leave a Reply