ଡେଙ୍ଗୁ ହଟସ୍ପଟ ପାଲଟିଛି ଭୁବନେଶ୍ୱର; ପୁଣି ଚିହ୍ନଟ ହେଲେ ୪୮ ରୋଗୀ

1 min read

ଭୁବନେଶ୍ବର: ଭୁବନେଶ୍ବରରୁ ପୁଣି ଚିହ୍ନଟ ହେଲେ ୪୮ନୁଆ ଡେଙ୍ଗୁ ରୋଗୀ । ଗତ ୨୪ଘଣ୍ଟାରେ ୧୭୩ଜଣଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିବା ବେଳେ ୪୮ଟି ପଜିଟିଭ ଓ ୧୨୫ଟି ନେଗେଟିଭ ଥିବା ଜଣାପଡିଛି । ଫଳରେ ଭୁବନେଶ୍ବରର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୫୯କୁ ବୃଦ୍ଧି ପାଇଥିବା ବେଳେ ୫୮ଜଣ ଡେଙ୍ଗୁ ରୋଗୀଙ୍କ ପରିଚୟ ମିଳିନଥିବା ସରକାରୀ ରିପୋର୍ଟରୁ ଜଣାପଡିଛି ।

ଅଗଷ୍ଟ ମାସରେ ୭୬୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ମାସରେ ବର୍ତ୍ତମାନ ସୁଦ୍ଧା ୧୦୦୩ଜଣ ଡେଭ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ନିଳାଦ୍ରୀବିହାରରୁ ସର୍ବାଧିକ ୩୦୬ଜଣ, ନୟାପଲ୍ଲୀରୁ ୨୧୬, ୟୁନିଟ-୯ରୁ ୧୪୭, ଆଇଆରସି ଭିଲେଜ ଅଞ୍ଚଳରୁ ୧୬୦ ଓ ଜୟଦେବ ବିହାରରୁ ୭୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିଭଳି ଭୁବନେଶ୍ବର ଉପକଣ୍ଠରୁ ମଧ୍ୟ ୫ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ଷାଦିନ ଥିବାରୁ ମଶାଧୂଆଁ ଛାଡିବା ସମ୍ଭବପର ହେଉନଥିଲେ ହେଁ ବିଏମସି ପକ୍ଷରୁ ନିୟମିତ ବୁସକଟିଂ ଓ ସାପ୍ତାହିକ ଦୁଇ ଦିନ ଡ୍ରାଏ ଡେ ପାଳନ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଜାରି ରହିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ ରହିଛି । ବର୍ତ୍ତମାନ ଟେଷ୍ଟିଂ ପଜିଟିଭ ରେଟ ଶତକଡା ୬୦ପ୍ରତିଶତରୁ ହ୍ରାସ ପାଇ ୩୦ପ୍ରତିଶତକୁ ଆସିଛି । ଏଣୁ ଲୋକେ ଆତଙ୍କିତ ନହୋଇ ମଶା ବଂଶ ଲୋପ ଦିଗରେ ଯତ୍ନବାନ ହେଲେ ଡେଙ୍ଗୁକୁ ରୋକାଯାଇପାରିବ ବୋଲି ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି ।