ରାଜ୍ୟରେ ସୁସ୍ଥ ହେଉଛନ୍ତି ରେକର୍ଡ ସଂଖ୍ୟକ କରୋନା ରୋଗୀ, ସୁସ୍ଥଙ୍କ ସଂଖ୍ୟା ୧୧ ହଜାର ପାର

ଭୁବନେଶ୍ୱର: କରୋନାକୁ ମାତ୍ ଦେବାରେ ସଫଳ ହଉଛନ୍ତି ରାଜ୍ୟ ସରକାର । ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗୁ ରାଜ୍ୟରେ ପ୍ରତିଦିନ ସୁସ୍ଥ ହେଉଛନ୍ତି ରେକର୍ଡ ସଂଖ୍ୟକ ରୋଗୀ । ରାଜ୍ୟରେ ବଢ଼ୁଥିବା କରୋନାରେ ସୁସ୍ଥ ସଂଖ୍ୟା ମନରେ ଆଶ୍ୱସ୍ତି ଭରୁଛି ।  ଆଜି ବି ସୁସ୍ଥ ହୋଇଛନ୍ତି ୪୫୩ କରୋନା ରୋଗୀ । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥତା ସଂଖ୍ୟା ୧୧ହଜାର ୩୩୦ରେ ପହଞ୍ଚିଛି ।

୧୯ ଜିଲ୍ଲାରୁ ମୋଟ ୪୫୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ତେବେ ଗଞ୍ଜାମରୁ ଦିନକରେ ୨୨୦ ଜଣ ସର୍ବାଧିକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ୪୧, ନବରଙ୍ଗପୁରରୁ ୩୩, ଖୋର୍ଦ୍ଧାରୁ ୨୮, ବଲାଙ୍ଗିରରୁ ୨୬, କେନ୍ଦୁଝରରୁ ୧୭, ବାଲେଶ୍ୱରରୁ ୧୫, ଜଗତସିଂହପୁରରୁ ୧୩, ମାଲକାନାଗିରିରୁ ୧୩, ଯାଜପୁରରୁ ୧୦, ଗଜପତିରୁ ୧୦, ଅନୁଗୁଳରୁ ୯, କେନ୍ଦ୍ରାପଡ଼ାରୁ ୬, କୋରାପୁଟରୁ ୪, କଟକରୁ ୩, ଭଦ୍ରକରୁ ୨, ମୟୂରଭଞ୍ଜ ନୟାଗଡ଼ ଏବଂ ପୁରୀରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେପଟେ ଶୁକ୍ରବାର ରାଜ୍ୟରେ ଆଉ ୭୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୪୭୯ ଓ ଲୋକାଲ୍ କେସ ୨୩୯ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତ ସମଖ୍ୟା ୧୬ ହଜାର ୧୧୦କୁ ବୃଦ୍ଧି ପାଇଛି । ଗଞ୍ଜାମରେ ସର୍ବାଧିକ ୨୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଅନ୍ୟପଟେ ରାଜ୍ୟରେ ଆଉ ୪ ମୁଣ୍ଡ ନେଇଛି କରୋନା । ଗଞ୍ଜାମରୁ ୬୦ ଓ ୫୭ ବର୍ଷୀୟ ୨ ବ୍ୟକ୍ତି ଓ ଗଜପତି ଜିଲ୍ଲାର ଜଣେ ୫୬ ବର୍ଷୀୟ ଓ ଅନୁଗୁଳରୁ ୬୬ ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୃତ୍ୟୁସଂଖ୍ୟା ୮୩କୁ ବୃଦ୍ଧି ପାଇଛି ।

Leave a Reply