ଫର୍ମ ଫିଲଅପ୍ କଲେ ପରୀକ୍ଷା ଦେଲେନି, କୁଆଡ଼େ ଗଲେ ୪୪ ହଜାର ବିଦ୍ୟାର୍ଥୀ ?

1 min read

ନନ୍ଦିଘୋଷ ବ୍ୟୁରୋ: କୁଆଡେ ଗଲେ ମାଟ୍ରିକ ପରୀକ୍ଷାର ୪୪ ହଜାର ୨୪୫ ଛାତ୍ରଛାତ୍ରୀ । ଫର୍ମଫିଲଅପ ସତ୍ତ୍ବେ କାହିଁକି ଦେଲେନି ପରୀକ୍ଷା ? ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ୨୦୨୨ ବର୍ଷର ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି କାରଣ ଖୋଜିବେ ଅଧିକାରୀ । ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଅନୁପସ୍ଥିତ ଥିବା ପିଲାଙ୍କ ଜିଲ୍ଲାୱାରୀ ତାଲିକା ଦେଇଛନ୍ତି ମନ୍ତ୍ରୀ । ତାଲିକାରେ ସବୁଠୁ ଉପରେ ରହିଛି ମୟୂରଭଞ୍ଜ ଜିଲ୍ଲା । 4 ହଜାର 462 ପିଲାଙ୍କ ଅନୁପସ୍ଥିତ ସହ ମୟୂରଭଞ୍ଜ ଉପରେ ଥିବା ବେଳେ ଦ୍ୱିତୀୟରେ ରହିଛି ଗଞ୍ଜାମ ଜିଲ୍ଲା । ଯେଉଁଠି 3 ହଜାର 273 ପିଲା ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଗୃହରେ ଏହି ଉତ୍ତର ରଖିଛନ୍ତି ।

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଆଉ ଏକ ପ୍ରଶ୍ନର ମନ୍ତ୍ରୀ ରଖିଛନ୍ତି ଉତ୍ତର । ସରକାରୀ ସ୍କୁଲରେ ପ୍ରତି ପିଲାଙ୍କ ପିଛା କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାର ହିସାବ ରଖିଛନ୍ତି ମନ୍ତ୍ରୀ । 2021 ଆର୍ଥିକ ବର୍ଷରେ ରାଜ୍ୟର 6 ରୁ 14 ବର୍ଷ ପିଲାଙ୍କ ପାଇଁ ଖର୍ଚ୍ଚ ହୋଇଛି 25 ହଜାର 56 ଟଙ୍କା । 2014-15 ରେ ଏହି ପରିମାଣ ଥିଲା 9 ହଜାର 184 ଟଙ୍କା ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।