ବାଂଲାଦେଶରେ ଭୟାବହ ଅଗ୍ନିକାଣ୍ଡ, ୪୪ ମୃତ

ବ୍ୟୁରୋ ରିପୋର୍ଟ: ବାଂଲାଦେଶରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ପୋଡ଼ି ୪୪ ଜଣଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି। ରାଜଧାନୀ ଢାକାର ବେଲି ରୋଡରେ ଥିବା ଏକ ୭ ମହଲା କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୦ ଜଣ ଆହତ ହୋଇଛନ୍ତି। ଗତକାଲି ରାତିରେ ଘଟିଥିଲା ଏହି ଅଗ୍ନିକାଣ୍ଡ।
ସୂଚନା ଅନୁଯାୟୀ, ବେଲି ରୋଡରେ ଥିବା ଏହି ବ୍ୟବସାୟିକ ପ୍ରତିଷ୍ଠାନରେ ନିଆଁ ଲାଗିଯାଇଥିଲା। ଏହି କୋଠାରେ ଏକାଧିକ ରେଷ୍ଟୁରାଣ୍ଟ ଥିବା ଜଣାପଡିଛି। ଅଗ୍ନିକାଣ୍ଡର ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମବାହିନୀର ଏକାଧିକ ଟିମ୍। ସେଠାରେ ଫସିଥିବା ୭୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ୪୨ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ସୂଚନା ପାଇ ପହଞ୍ଚିଥିଲେ ବାଂଲାଦେଶ ସ୍ଵାସ୍ଥ୍ୟମନ୍ତ୍ରୀ। ଢାକା ମେଡିକାଲ କଲେଜ ହସ୍ପିଟାଲରେ ୩୩ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ଶେଖ ହସିନା ଇନଷ୍ଟିଚ୍ଯୁଟରେ ଅନ୍ୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସେଣ୍ଟ୍ରାଲ ପୋଲିସ ହସ୍ପିଟାଲରେ ଆଉ ଜଣଙ୍କର ମୃତ୍ଯୁ ଘଟିଥିଲା। ୪୪ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ବାଂଲାଦେଶ ପୋଲିସ ଆଇଜି।