ଜ୍ଞାନବାପୀ ମସଜିଦରେ ତଦନ୍ତ ଆରମ୍ଭ କଲେ ୪୩ ଜଣିଆ ସାଇଣ୍ଟିଫିକ ଟିମ୍‌

ବାରଣାସୀ: ଆଜିଠୁ ଜ୍ଞାନବାପୀ ମସଜିଦ ପରିସରରେ ସର୍ଭେ । ବାରଣାସୀର ବହୁଚର୍ଚ୍ଚିତ ମସଜିଦ ପରିସରରେ ସର୍ବେକ୍ଷଣ ଆରମ୍ଭ କରିଛି ପ୍ରତ୍ନତତ୍ତ୍ୱ ବିଭାଗ । ସକାଳ ୭ଟାରୁ ୪୩ ଜଣିଆ ଟିମ୍ ମସଜିଦ ପରିସରରେ ସାଇଣ୍ଟିଫିକ ତଦନ୍ତ ଆରମ୍ଭ କରିଛନ୍ତି । ସର୍ଭେ ଟିମରେ ଉଭୟ ପକ୍ଷ ଓକିଲ ମଧ୍ୟ ସାମିଲ ଅଛନ୍ତି । ଗତ ୨୧ ତାରିଖରେ ବାରଣାସୀ ଜିଲ୍ଲା ଦୌରାଜଜ ଜ୍ଞାନବ୍ୟାପୀ ମସଜିଦରେ ସାଇଣ୍ଟିଫିକ ସର୍ଭେ କରିବାକୁ ଅନୁମତି ଦେଇଥିଲେ।

ଏହି ସର୍ଭେ ରିପୋର୍ଟ ଜରିଆରେ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇପାରିବ । ଅଗଷ୍ଟ ୪ ତାରିଖରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ଏଏସଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର ଜରିଆରେ ମସଜିଦର ସିଲ ହୋଇଥିବା ଅଞ୍ଚଳକୁ ଛାଡି ପୁରା କ୍ୟାମ୍ପସରେ ସର୍ବେକ୍ଷଣ କରିବାକୁ ଏଏସ୍ଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆଜିଠୁ ସର୍ଭେ ଆରମ୍ଭ ହୋଇଥିବା ବେଳେ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମୁସଲିମ୍ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ପିଟିସନର ଶୁଣାଣି ହେବ । ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା ଏବେ ବି ସେହିପରି ପୂଜାର୍ଚ୍ଚନା ପାଇଁ ୨୦୨୧ ଅଗଷ୍ଟରେ ବାରଣାସୀ ଜିଲ୍ଲା କୋର୍ଟରେ ୫ ଜଣ ମହିଳା ଆବେଦନ କରିଥିଲେ।