ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୪୦୯ ହିତାଧିକାରୀ ପାଇଲେ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା

ଖୋର୍ଦ୍ଧା: ସୁନାଖଳାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରରେ ଯୋଗଦେଇ ଅର୍ଥ ରାଶି ବଣ୍ଟନ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ସୁନାଖଳା ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂ ମଧ୍ୟ ଉପସ୍ଥିତ ଥିଲେ । ଶିକ୍ଷା, ବାହାଘର ଆଦି ଯୋଜନାରେ ୪୦୯ ଜଣ ହିତାଧିକାରୀଙ୍କୁ ୨ କୋଟି ୪୮ଲକ୍ଷ ୧୯ ହଜାର ଟଙ୍କାର ଅର୍ଥ ରାଶିର ଚେକ ବଣ୍ଟନ କରିଛନ୍ତି ସାଂସଦ ମାନସ ମଙ୍ଗରାଜ ।

ଶିକ୍ଷା ସହାୟତା ୧୩୧ ଜଣଙ୍କୁ ୯ ଲକ୍ଷ ୪ ହଜାର, ବିବାହ ସହାୟତା ୬୦ ଜଣଙ୍କୁ ୨୯ ଲକ୍ଷ, ମାତୃକାଳୀନ ସହାୟତା ୧୦ ଜଣଙ୍କୁ ଏକ ଲକ୍ଷ, ଅନ୍ତିମ ସଂସ୍କାର ସହାୟତା ୧୦୩ ଜଣଙ୍କୁ ୧୫ ହଜାର, ମୃତ୍ୟୁକାଳୀନ ସହାୟତା ୧୦୫ ଜଣକୁ ୨ ଲକ୍ଷ ୪ ହଜାର ଟଙ୍କା ବଣ୍ଟନ କରାଯାଇଛି । ଏପରି ମୋଟ ୪୦୯ ଜଣଙ୍କୁ ୨ କୋଟି ୪୮ ହଜାର ୧୯ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ କୃତଜ୍ଞତା ଜଣାଇଛନ୍ତି ।

ଏହି ଶିବିରରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାରେ ଅଧିକରୁ ଅଧିକ ନିର୍ମାଣ ଶ୍ରମିକ ଭଉଣୀ ଓ ଭାଇମାନେ ସାମିଲ ହେବା ପାଇଁ ନିବେଦନ କରିଥଲେ । ଏଥି ସହ ୨୩୭ ଜଣ ନୂତନ ଭାବେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା ।