କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୪୦୬ଜଣଙ୍କୁ ମିଳିଲା ନୂଆ ନିଯୁକ୍ତି

1 min read
ଭୁବନେଶ୍ୱର: କୃଷି କ୍ଷେତ୍ରରେ ନୂଆ ଅଧ୍ୟାୟ । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୪୦୬ ନୂଆ ନିଯୁକ୍ତି । ଏଥିମଧ୍ୟରୁ ୨୬୧ ଜଣ ସହକାରୀ କୃଷି ଅଧିକାରୀ, ୧୦୨ଜଣ ସହକାରୀ କୃଷି ଇଞ୍ଜିନିୟର ଭାବରେ ଯୋଗ ଦେଇଛନ୍ତି । ସେହିପରି ୪୩ ଜଣ ରାଜ୍ୟ ବିହନ ନିଗମରେ ନିଯୁକ୍ତି ପାଇଛନ୍ତି । ଲୋକସେବା ଭବନଠାରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ବଡ଼ ନିଯୁକ୍ତି କୃଷି ବିଭାଗକୁ ଉତ୍ସ ଯୋଗାଇବ ।  ସେ ଆଗକୁ କହିଥିଲେ, କୃଷି ଏବଂ ସହଯୋଗୀ କ୍ଷେତ୍ର ତାଙ୍କ ସରକାରଙ୍କ ପ୍ରମୁଖ ପ୍ରାଥମିକତା ।
             କ୍ରମାଗତ ଭାବେ କୃଷକଙ୍କ ଆୟ ବଢ଼ାଇବାକୁ ଏବଂ ସେମାନଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । କୃଷି କାର୍ଯ୍ୟକଳାପ ଏବଂ ଉତ୍ପାଦର ବିଭିଦତାକୁ ସମର୍ଥନ କରିବା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି । କାଳିଆ ଏବଂ ବଳରାମ ଭଳି ୟୋଜନା କୃଷକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଏବଂ ବିଶ୍ୱାସ ସୃଷ୍ଟି କରିପାରିଛି । ଏହା ବ୍ୟତୀତ ଉତ୍ପାଦନ ବୃଦ୍ଧି ଏବଂ ଆମର ଅଭାବୀ ପ୍ରାକୃତିକ ସମ୍ପଦର ନ୍ୟାୟପୂର୍ଣ୍ଣ ବ୍ୟବହାରକୁ ସୁଗମ କରିବା ପାଇଁ ଫାର୍ମ ମେକାନାଇଜେସନ ଉପରେ ସ୍ପତନ୍ତ୍ର ଧ୍ୟାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ଆମେ ସ୍ଥାନୀୟ ଯୁବକମାନଙ୍କୁ କୃଷିକ୍ଷେତ୍ରରେ ଉଦ୍ୟୋଗୀକରଣରେ ଭାଗନେବାକୁ ଉତ୍ସାହିତ କରୁଛୁ ।
               କୃଷକମାନଙ୍କୁ ଗୁଣାତ୍ମକ ବିହନ ଯୋଗାଇବାରେ ଓଡ଼ିଶା ରାଜ୍ୟ ବିହନ ନିଗମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୃଷକମାନେ ଠିକ୍ ସମୟରେ ଗୁଣାତ୍ମକ ବିହନ ପାଇବା ନେଇ ସୁନିଶ୍ଚିତ କରିବାକୁ ସେ ବିଭାଗକୁ ପରାମର୍ଶ ଦେଇଛନ୍ତି । ନବ ନିଯୁକ୍ତଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆସନ୍ତା ତିନି ଦଶନ୍ଧି ମଧ୍ୟରେ ସେମାନେ ଆମର କୃଷି କ୍ଷେତ୍ରରେ ମହତ ଯୋଗଦାନ କରିବେ । ନୂତନ ଅଧିକାରୀମାନଙ୍କର କୃଷକମାନଙ୍କୁ ସେବା ଯୋଗାଇବା ପାଇଁ ଆବଶ୍ୟକ ଜ୍ଞାନ, ଦକ୍ଷତା ଏବଂ ଅଭିଜ୍ଞତା ରହିଛି ।
          5T ନୀତି ଅନୁସରଣ କରିବାକୁ ଏବଂ କୃଷି କ୍ଷେତ୍ରର ପରିବର୍ତ୍ତନରେ ସହଯୋଗ କରିବାକୁ ନବନିଯୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆପଣମାନଙ୍କର ସମସ୍ତ କାର୍ଯ୍ୟ କୃଷକମାନଙ୍କ ସଶକ୍ତିକରଣ ଦିଗରେ ନିର୍ଦ୍ଦେଶିତ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ନିଯୁକ୍ତ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପ୍ରମୁଖ ସଚିବ ଅରବିନ୍ଦ ପାଢୀ, କୃଷି ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ, ଡେଭେଲପମେଣ୍ଟ କମିଶନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।