ରୋଷେଇ ଘର ଛାଡି ଡେପୁଟି ଏସପି ହେବେ ଦୁଇ ପିଲାର ମାଆ

1 min read

ପାଟଣା: ‘ପଙ୍ଗୁ ଲଙ୍ଘୟତେ ଗିରି’ । ଅର୍ଥାତ ଦୃଢ଼ ଇଚ୍ଛାଶକ୍ତି ଓ ସ୍ଥିର ନିଶ୍ଚିତ ହୋଇଥିଲେ କୌଣସି ସମସ୍ୟା, ସମସ୍ୟା ହୋଇ ରହିବନି । କାମ ଯେତେ କଠିନ ହେଲେ ବି ସଫଳତା ନିଶ୍ଚିତ ଆପଣଙ୍କ ପାଦ ଚୁମିବ । ଯାହା ପ୍ରମାଣ କରି ଦେଖାଇଛନ୍ତି ବିହାର ପାଟଣାର ରଶ୍ମୀ କୁମାରୀ । ଘରକାମ ଓ ଦୁଇ ପିଲାଙ୍କ ପାଠପଢ଼ା ସହ ସେଲ୍ଫ ଷ୍ଟଡି କରି ୪୦ ବର୍ଷ ବୟସରେ BPSC ପରୀକ୍ଷାରେ ୬୫ ରାଙ୍କ ରଖି ଡେପୁଟି ଏସପି ହେବାକୁ ମନୋନିତ ହୋଇଛନ୍ତି ।

ରଶ୍ମୀଙ୍କ ଏହି ସଫଳତା ସମ୍ପର୍କରେ ଯିଏ କେହି ଜାଣୁଛନ୍ତି ତାଙ୍କ ଉଦ୍ୟମ ଓ ଇଚ୍ଛାଶକ୍ତିକୁ ଶତ ପ୍ରଣାମ କରୁଛନ୍ତି ।

ଦୁଇ ପିଲାଙ୍କ ମାଆ ହୋଇ ବି BPSC ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବା, ଏଥିରେ ସଫଳ ହୋଇ ଦେଖାଇବା ଥିବା ରଶ୍ମୀଙ୍କ କାହାଣୀ ସମସ୍ତଙ୍କ ପାଇଁ ଏକ ଉଦାହରଣ । ଗୁରୁତ୍ବପୂର୍ଣ୍ଣ କଥା ହେଲା ବିନା କୌଣସି କୋଚିଂରେ ଘରେ ପଢ଼ି ରଶ୍ମୀ ୬୪ତମ BPSC ପରୀକ୍ଷାରେ ରାଜସ୍ବ ଅଧିକାରୀ ଏବଂ ୬୫ତମ BPSC ପରୀକ୍ଷାରେ ଡେପୁଟି ଏସପି ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଏବେ ୪୦ ବର୍ଷ ବୟସରେ ସେ ଡେପୁଟି ଏସପି ଦାୟିତ୍ବ ତୁଲାଇବେ । ଏହାସହ ସେ UPSC ପରୀକ୍ଷା ମଧ୍ୟ ଦେଇଛନ୍ତି ।

ସରକାରୀ ଚାକିରି ପାଇଁ ମନ ବଳିଳା

ରଶ୍ମୀଙ୍କ ବଡ଼ ପୁଅ ଦ୍ବାଦଶ ଶ୍ରେଣୀରେ ପଢୁଥିବା ବେଳେ ସାନ ପୁଅ ନବମରେ ପଢୁଛି । ଘର କାମ କରୁ କରୁ ଦିନେ ସରକାରୀ ଚାକିରି କରିବାକୁ ମନ ବଳାଇ ଥିଲେ ରଶ୍ମୀ । ଏହାପରେ ଆରମ୍ଭ କରିଦେଇଥିଲେ ପ୍ରସ୍ତୁତି । ହେଲେ ରୋଷେଇ ସାଙ୍ଗକୁ ପିଲାଙ୍କୁ ପାଠ ପଢ଼ାଇବା ପରେ ତାଙ୍କୁ ପଢ଼ିବାକୁ ସମୟ ମିଳୁ ନଥିଲା । ଏହାପରେ ସେ ମନ ସ୍ଥିର କରିଥିଲେ ପିଲାଙ୍କୁ ପାଠ ପଢ଼ାଇବା ପରେ ସେ ପଢ଼ିବେ । ସେହି ଅନୁସାରେ ଚାଲିଥିଲା ତାଙ୍କ ଡେଲି ରୁଟିନ୍ । ଘରକାମ କରିବା ସମୟରେ ଅଡ଼ିଓ ଓ ଭିଡିଓ ମାଧ୍ୟମରେ ପ୍ରତିଦିନ ୪ ଘଣ୍ଟା ସେ ନିଜକୁ ପ୍ରସ୍ତୁତ କରୁଥିଲେ । ଯାହାର ଫଳ ଆଜି ତାଙ୍କୁ ମିଳିଛି ।

ଅନ୍ୟ ଏକ ବଡ଼ ଖବର ହେଉଛି ତାଙ୍କ ପୁଅ ଅମନ ଜେଇଇ ମେନରେ ଅଲ ଇଣ୍ଡିଆରେ ୨୦୫ ରାଙ୍କ ରଖିଛନ୍ତି । ସେ ବି ତାଙ୍କ ମାଆଙ୍କ କରି ବିନା କୋଚିଂ ଓ ଟ୍ୟୁସନରେ ଘରେ ପଢ଼ି ଏହି ସଫଳତା ପାଇପାରିଛନ୍ତି ।

Leave a Reply