୪୦ହଜାର ୫୨ ଜଣ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି

1 min read

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ ୪୦ ହଜାର ୫୨ ଜଣ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ଲେବୁଲ-୫ରେ ୧୭ ହଜାର ୨୨୯ ଜଣ ଶିକ୍ଷକଙ୍କୁ ପଦୋନ୍ନତି ପାଇଥିବା ବେଳେ ଲେବୁଲ୍-୪ରେ ୨୨ ହଜାର ୧୬୮ ଏବଂ ଲେବୁଲ୍-୩ରେ ୬୫୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତି ପାଇଛନ୍ତି । ପଦୋନ୍ନତି ନେଇ ସମସ୍ତ ଶିକ୍ଷକଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି । ଶିକ୍ଷୟିତ୍ରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଥିଲା । ଏହାଦ୍ୱାରା ରାଜ୍ୟର ୬୩ହଜାର ୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇବେ । ଏଥିସହ ଉଚ୍ଚ ପ୍ରାଥମିକସ୍ତରରେ ବିଭିନ୍ନ ବିଷୟ ପାଇଁ ଶିକ୍ଷକ ଏବଂ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକସ୍ତରରେ ପ୍ରଧାନ ଶିକ୍ଷକ ପଦବୀଗୁଡିକ ମଧ୍ୟ ପୂରଣ ହୋଇପାରିବ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନସ୍ତରରେ ଶିକ୍ଷକ ଅଭାବ ପୂରଣ ହେବା ଦ୍ୱାରା ପ୍ରାଥମିକ ବିଦ୍ୟାଳୟଗୁଡିକର ପରିଚାଳନାରେ ଉନ୍ନତି ଆସିବ । ଶୈକ୍ଷିକ ପରିବେଶରେ ମଧ୍ୟ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ଏହି ନିୟମ ଅନୁଯାୟୀ ୫(ଏ) ସ୍ତରରେ ଥିବା ୨୯ହଜାର ୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ । ୫(ବି) ସ୍ତରରେ ଥିବା ୨୯ହଜାର ୭୫୯ ଜଣ ବରିଷ୍ଠ ଶିକ୍ଷକ ତୁରନ୍ତ ଲେଭେଲ-୪ କୁ ପଦୋନ୍ନତି ପାଇବେ । ଏହାସହିତ ଲେଭେଲ ଓଠରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍ଟେମ୍ବର ମାସ ସୁଦ୍ଧା ଲେଭେଲ-୩ କୁ ପଦୋନ୍ନତି ପାଇବେ । ଏହି କ୍ରମରେ ଆଜି ୪୦ ହଜାର ୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି ।

Leave a Reply