ମହାରାଷ୍ଟ୍ରରେ ’ମହା’ ସଙ୍କଟ, ସୁରଟରୁ ଗୌହାଟି ଗଲେ ବିଦ୍ରୋହୀ ବିଧାୟକ

ଗୌହାଟି: ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ନେତୃତ୍ବାଧିନ ସରକାର ପ୍ରତି ବିପଦ । ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ବିଦ୍ରୋହ ଯୋଗୁଁ ଉଦ୍ଧବ ସରକାର ଏବେ ସଙ୍କଟରେ । ସିନ୍ଧେ ଓ ପ୍ରାୟ ୩୦ ବିଧାୟକ ସୁରଟରେ ଏକ ହୋଟଲରେ ରହିବା ପରେ ସେମାନେ ଗୁଆହାଟି ଯାଇଥିବା ସୂଚନା ମିଳିଛି । ସେପଟେ ସରକାରକୁ ବଞ୍ଚାଇବା ପାଇଁ  ଆକ୍ସନ ମୋଡ଼କୁ ଆସିଛି ଶିବସେନା । ସିନ୍ଧେଙ୍କ ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କଥା ହୋଇଛନ୍ତି  । ଆଜି ଦିନ ୧ ଟାରେ ବସିବ କ୍ୟାବିନେଟ ବୈଠକ । ମହାବିକାଶ ଅଘାଡିରୁ ଶିବସେନା ଓହରିଯାଉ ବୋଲି ସିନ୍ଧେ ସର୍ତ୍ତ ବାଢିଥିବା କୁହାଯାଉଛି । ତେବେ ସିନ୍ଧେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦ୍ଧବ ଠାକରେ ତାଙ୍କୁ ଶିବସେନା ବିଧାୟକ ଦଳ ନେତା ଓ ମୁଖ୍ୟ ସଚେତକ ପଦରୁ ହଟାଇଥିଲେ ।

ସେପଟେ ମହାରାଷ୍ଟ୍ର ବିଜେପିର କିଛି ନେତା ସୁରଟ ଯାଇ ସିନ୍ଧେଙ୍କୁ ସାକ୍ଷାତ କରିଛନ୍ତି । ସିନ୍ଧେଙ୍କ ସହ ମିଶି ସରକାର ଗଠନ କରିବାକୁ ବିଜେପି ବିକଳ୍ପ ଖୋଲା ରଖିଛି ବୋଲି ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି । ଅନ୍ୟପକ୍ଷରେ ବିଦ୍ରୋହ ଶିବସେନାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ପୂର୍ବରୁ ଶରଦ ପାଓ୍ବାର କହିଥିଲେ । ଶିବସେନାରେ ସଂକଟ ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ହାତ ରହିଥିବା କୁହାଯାଇଛି । ଫଡନାଭିସ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି । ଏମଏଲସି ନିର୍ବାଚନରେ ଶିବସେନାର କିଛି ବିଧାୟକ କ୍ରସ ଭୋଟିଂ କରିଥିବାରୁ ବିଜେପିକୁ ଗୋଟିଏ ଆସନ ଅଧିକ ଜିଣିଥିଲା । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସିନ୍ଧେଙ୍କୁ ଚେତାବନୀ ଦେଇଥିବା ଜଣାପଡ଼ିଛି । କୁହାଯାଉଛି ଯେ, ଶିବସେନାରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ଏକନାଥ ସିନ୍ଧେ ଅସନ୍ତୋଷ ଥିବା ଜଣାପଡିଛି । ଏହାଛଡା ସଂଜୟ ରାଉତଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଥିବାରୁ ମଧ୍ୟ ସିନ୍ଧେ ଖପ୍ପା ଥିବା ଜଣାପଡ଼ିଛି ।