ସିନ ଗୁଡସ୍ ଉପରେ ଲାଗିବ ୪୦ ପ୍ରତିଶତ ଜିଏସଟି, ଦେଖନ୍ତୁ ଲିଷ୍ଟ
1 min read
ଜିଏସଟି କାଉନସିଲ ପକ୍ଷରୁ ଜିଏସଟିକୁ ଦୁଇଟି ସ୍ଲାବ ୫ ପ୍ରତିଶତ ଓ ୮ ପ୍ରତିଶତରେ ସୀମିତ କରାଯାଇଛି । ଏହାଛଡ଼ା ସିଗାରେଟ- ତମ୍ବାଖୁ ପରି ସ୍ବାସ୍ଥ୍ୟ ପାଇଁ ହାନିକାରକ ସାମଗ୍ରୀ ଉପରେ ହାଇ ଟାରିଫ ଲଗାଯାଇଛି,, ଯାହାକି ୪୦ ପ୍ରତିଶତ ରହିଛି । ଜିଏସଟି ରିଫର୍ମ ନେଇ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ଏବେ କାଉନସିଲ ପକ୍ଷରୁ ସ୍ଲାବ କମ କରିବା ଓ ଜିଏସଟି ଦର ହ୍ରାସ ପାଇଁ ବଡ଼ ଘୋଷଣା କରାଯାଇଛି । ଏବେ ୫% ଓ ୧୮% ବ୍ୟତୀତ ସିନ ଗୁଡସ୍ ପାଇଁ ୪୦ ପ୍ରତିଶତ ସ୍ପେଶାଲ ସ୍ଲାବ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ତେଣୁ କେଉଁ କେଉଁ ସାମଗ୍ରୀଗୁଡ଼ଇକୁ ସିନ ଗୁଡସରେ ସାମିଲ କରାଯାଇଛି ତାହା ଜାଣିବା ନିହାତି ଜରୁରୀ ।
ସିନ ଗୁଡସର ସିଧାସଳଖ ଅର୍ଥ ହେଉଛି ଯେଉଁ ସାମଗ୍ରୀଗୁଡ଼ିକ ସ୍ବାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଏ । ଯେପରିକି ପାନ ମସାଲା, ସିଗାରେଟ, ବିଡ଼ି, ଗୁଟଖା ଓ ଫାଷ୍ଟ ଫୁଡସ୍ । ଏହାବ୍ୟତୀତ ଏପରି ଜିନିଷ ଯାହା ଲୋକଙ୍କୁ ଆର୍ଥିକ ବିପଦରେ ପକାଇଥାଏ । ଯେପରିକି ଜୁଆ-ସଟ୍ଟେବାଜି ଓ ଅନ୍ୟ ଗେମିଂ ସେବା । ସେହିପରି ସୁପର ଲଗଜରୀ ଜିନିଷକୁ ମଧ୍ୟ ଏହି ଲିଷ୍ଟରେ ସାମିଲ କରାଯାଇଛି, ଯାହା ଉପରେ ୪୦ ପ୍ରତିଶତ ଜିଏସଟି ଲାଗୁ କରାଯାଇଛି । ଏଥିରେ ପ୍ରାଇଭେଟ ଜେଟ, ହେଲିକପ୍ଟରକୁ ସାମିଲ କରାଯାଇଛି । କିଛି କ୍ୟାଟେଗୋରୀରେ କାର ଓ ବାଇକ ଉପରେ ଏହି ହାଇ ଜିଏସଟି ରେଟ୍ ଲାଗୁ ହେବ । ଅଧିକ ଟ୍ୟାକ୍ସ ଲାଗୁ କରି ଏହାର ବ୍ୟବହାର କମ କରିବା ଓ ଲୋକଙ୍କୁ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ହେଉଛି ସରକାଣଙ୍କ ଉଦ୍ଦେଶ୍ୟ ।
୪୦% ଜିଏସଟି ସ୍ଲାବରେ ପାନ ମସାଲା, ଗୁଟଖା, ଚୋବା ଯାଉଥିବା ତମ୍ବାଖୁ, ଅଣପ୍ରୋସେସ ତମ୍ବାଖୁ, ସିଗାରେଟ, ଛୋଟ-ବଡ଼ ସିଗାର ସାମିଲ ରହିଛି । ହାଇ ଜିଏସଟି ଲିଷ୍ଟରେ କାର୍ବୋନେଟେଡ ଡ୍ରିଙ୍କସ, ଶୁଗର ଏଡେଡ କୋଲ୍ଡ ଡ୍ରିଙ୍କସ, କେଫିନ ଯୁକ୍ତ ଡ୍ରିଙ୍କସ ରହିଛି । ଏହାଛଡ଼ା କ୍ରିକେଟ ପ୍ରେମୀଙ୍କୁ ମଧ୍ୟ ୪୦ ପ୍ରତିଶତ ଜିଏସଟି ଝଟକା ଦେଇଛି । ଆଇପିଏଲ ଦେଖିବା ଏବେ ମହଙ୍ଗା ହୋଇଯିବ । ଏହାର ଟିକେଟ ଉପରେ ପୂର୍ବରୁ ୨୮ ପ୍ରତିଶତ ଜିଏସଟି ଲାଗୁଥିବା ବେଳେ ଏବେ ୪୦ ପ୍ରତିଶତ ଲାଗିବ ।