ଝିଅକୁ ଘରେ ଛାଡି ଷ୍ଟେସନ ଯାଇଥିଲେ ବାପାମା’, ଝରକାରୁ ଖସିପଡି ଶିଶୁ ମୃତ

ମୁମ୍ବାଇ: ଆପାର୍ଟମେଣ୍ଟର ୪ ମହଲାରୁ ଖସି ଆଖିବୁଜିଲା ୪ ବର୍ଷର ଶିଶୁ । ମୁମ୍ବାଇର ଭିରାରରେ ଘଟିଛି ଏହି ଦୁଃଖଦ ଘଟଣା । ଝିଅକୁ ଏକୁଟିଆ ଛାଡି ବାପା ମା ସକାଳୁ ଘରୁ ବାହାରକୁ ଚାଲିଯାଇଥିବାବେଳେ ଶିଶୁଟି ଝରକାରେ ଚଢିଯାଇ ତଳକୁ ଖସିପଡିଥିଲା । ଶିଶୁଟିର ଦୁଇ ଆଖିକୁ ପିତାମାତା ଦାନ କରିଛନ୍ତି । ମୁମ୍ବାଇ ଅନ୍ତର୍ଗତ ଭିରାରର ଓ୍ବାଇକେ ନଗରରେ ନୂଆ ଭାବେ ନିର୍ମିତ ହୋଇଛି ୧୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ।

ଆପାର୍ଟମେଣ୍ଟର ଚତୁର୍ଥ ମହଲାରେ ରହୁଥିଲେ ସୁରେଶ, ପତ୍ନୀ ମଣି ଓ ୪ ବର୍ଷର କନ୍ୟା ଦର୍ଶିନୀ । ଗତ ମଙ୍ଗଳବାର ସକାଳେ ଝିଅ ଶୋଇଥିବାବେଳେ ସ୍ବାମୀଙ୍କୁ ଷ୍ଟେସନରେ ଛାଡିବା ଲାଗି ମଣି ସ୍କୁଟରରେ ଯାଇଥିଲେ । ସେମାନେ ଭାବିଥିଲେ ଷ୍ଟେସନରୁ ଫେରିବା ବେଳକୁ ଝିଅ ଉଠି ନଥିବ । ୩୦ ମିନଟ ପରେ ସେ ଫେରିବାବେଳକୁ ଦେଖିଥିଲେ ଆପାର୍ଟମେଣ୍ଟ ଆଗରେ ବହୁ ଲୋକ ଜମା ହୋଇଛନ୍ତି । ସେ ସେଠାକୁ ଯାଇ ଦେଖନ୍ତି ତ ଆଉ କିଏ ନୁହେଁ, ତାଙ୍କ ଝିଅ ଦର୍ଶିନୀର ଶବ ନିକଟରେ ଲୋକେ ରୁଣ୍ଡ ହୋଇଛନ୍ତି ।

ଘରେ କେହି ନଥିବାରୁ ପିଲାଟି ଖୋଲାଥିବା ଝରକା ଦେଇ ଉପରକୁ ଉଠିଯାଇଥିଲା ଏବଂ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।