କରୋନା ମୁକାବିଲା ପାଇଁ ରାଜ୍ୟରେ ବଢିବ କୋଭିଡ୍ ବେଡ୍ ସଂଖ୍ୟା

ଭୁବନେଶ୍ୱର: ଲୋକସେବା ଭବନରେ ଆଜି ବସିଥିବା  ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟରେ କୋଭିଡ୍ ବେଡ୍ ସଂଖ୍ୟା ଓ ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । କରୋନା ସହ ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।  ବୈଠକରେ ସ୍ୱାସ୍ଥ୍ୟ, ଅର୍ଥ ଓ ପଞ୍ଚାୟତିରାଜ ମନ୍ତ୍ରୀ ସାମିଲ ହୋଇଥିଲେ ।

ଆଉ ୪ ହଜାର କୋଭିଡ୍ ବେଡ୍ 

ବୈଠକରେ ରାଜ୍ୟରେ କୋଭିଡ୍ ବେଡ୍ ସଂଖ୍ୟା ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟରେ ଏବେ ଉପଲବ୍ଧ ଥିବା କୋଭିଡ୍ ବେଡ୍ ସହ   ଆଉ ୪ହଜାର କୋଭିଡ୍‌ ବେଡ୍ ଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ  ରାଜ୍ୟର ୬ହଜାର ଶଯ୍ୟା ସୁବିଧା ରହିଛି ।  ଆଉ ୪ ହଜାର ବେଡ୍ ଯୋଗ ହେଲେ ମୋଟ ବେଡ୍ ସଂଖ୍ୟା ୧୦ ହଜାର ହେବ । ଏହା ସହ ବୈଠକରେ ରାଜ୍ୟରେ ଦୈନିକ ୧୫ହଜାର ଟେଷ୍ଟ ପାଇଁ ଆଲୋଚନା ହୋଇଛି । ବେସରକାରୀ ହସ୍ପିଟାଲରେ ପରୀକ୍ଷାକୁ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି। ବଲାଙ୍ଗିରରେ ୧୬ ତାରିଖ, କୋରାପୁଟରେ ୨୩, ବାରିପଦାରେ ୩୧ ତାରିଖରେ ଟେଷ୍ଟ  ଆରମ୍ଭ ହେବ । ଏଥିପାଇଁ ଆବଶ୍ୟକୀୟ ଉପକରଣ ଓଏସଏମ୍‌ପିଏଲ୍‌ ଜରିଆରେ କିଣିବାକୁ ପ୍ରସ୍ତାବ ରହିଛି ।

ସ୍ୱଛତା ନେଇ ଏସଓପି

୨୦୧୩ରେ ଟବାକୋ ଆଇନକୁ କଡ଼ାକଡ଼ି ପାଳନ କରାଯିବ। ବୟସ୍କ ପ୍ରସୂତିଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌କୁ ପଠାଯିବ । ପ୍ରବାସୀଙ୍କ ରିପୋର୍ଟ ନେଗେଟିଭ ଆସିଲେ ହୋମ୍‌ କ୍ୱାରେଣ୍ଟାଇନ୍‌କୁ ପଠାଯିବ । ସ୍ୱଚ୍ଛତା ନେଇ ଏସଓପି ଆସିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଲୋକସେବା ଭବନରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଏନେଇ ଆଲୋଚନା ହୋଇଛି । ବୈଠକରେ ସ୍ୱାସ୍ଥ୍ୟ, ଅର୍ଥ ଓ ପଞ୍ଚାୟତିରାଜ ମନ୍ତ୍ରୀ ସାମିଲ ହୋଇଥିଲେ । ସେପଟେ ବାତ୍ୟାର ଗତିବିଧି ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ଜିଲ୍ଲାପାଳମାନେ ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି । ବାତ୍ୟାର ଗତି ବର୍ତ୍ତମାନ କ’ଣ ହେବ ଜଣାନାହିଁ । ତେବେ ଏ ନେଇ ରାଜ୍ୟ ସରକାର ସଜାଗ ଥିବା ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ।

Leave a Reply